(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ହିମାଚଳ ପ୍ରଦେଶର ସିର୍ମାଉର ଜିଲ୍ଲାରେ ଏକ ବଡ ଧରଣର ଭୂସ୍କଳନ ହୋଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ପାହାଡ ଖସିପଡିବାରୁ ଏକ ରାସ୍ତା ଅବରୋଧ ହୋଇଯାଇଥିବାର ଏହି ଭିଡିଓରେ ଦେଖିବା ପାଇଁ ମିଳିଛି । ରାସ୍ତା ଅବରୋଧ ହେବା ଫଳରେ ଶହ ଶହ ଲୋକ ରାସ୍ତାରେ ଫସି ଯାଇଛନ୍ତି ଏବଂ ଅନେକ ଘଣ୍ଟା ଧରି ରାସ୍ତା ଜାମ୍ ରହିଛି ।
ପୋଣ୍ଟାନା ସାହିବକୁ ସଂଯୋଗ କରୁଥିବା ୭୦୭ ନମ୍ବର ଜାତୀୟ ରାଜପଥକୁ ଉତ୍ତରାଖଣ୍ଡର ଲୋକମାନେ ମଧ୍ୟ ବ୍ୟବହାର କରନ୍ତି। ଭୂସ୍ଖଳନ ହେତୁ ଅନେକ ଲୋକ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଛନ୍ତି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଫଳରେ ଏକାଧିକ ଭୂସ୍ଖଳନ ହେବାରେ ଲାଗିଛି । ଗତ ସପ୍ତାହରେ ହିମାଚଳ ପ୍ରଦେଶର କିନ୍ନର ଜିଲ୍ଲାର ସାଙ୍ଗଲା-ଚିତକୁଲ ରାସ୍ତାରେ ଭୂସ୍ଖଳନ ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଏହି ସପ୍ତାହ ପୂର୍ବରୁ, ଉଦୟପୁରରେ ହୋଇଥିବା ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାମ୍ବା ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।
କୁଲୁ ଜିଲ୍ଲାରେ ହାଇଡ୍ରୋ ପ୍ରୋଜେକ୍ଟ ଅଧିକାରୀ ତଥା ଦିଲ୍ଲୀର ଜଣେ ପର୍ଯ୍ୟଟକଙ୍କ ସମେତ ଚାରି ଜଣ ନିଖୋଜ ଅଛନ୍ତି । ଲାହଲ୍-ସ୍ପିଟିର ଉଦୟପୁରରେ କିଛିଦିନ ପୂର୍ବରୁ ରାତି ପ୍ରାୟ ୮ ଟା ସମୟରେ ୧୨ ଜଣ ଶ୍ରମିକ ଫ୍ଲାସ୍ ବନ୍ୟାରେ ଧୋଇ ଯାଇଥିଲେ। ୭ ଜଣ ମୃତଦେହ ଉଦ୍ଧାର କରାଯାଇଛି, ଦୁଇଜଣ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଏବଂ ତିନିଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ଚାରିଜଣ ହିମାଚଳ ପ୍ରଦେଶର ମାଣ୍ଡି ଅଞ୍ଚଳରୁ ହୋଇଥିବାବେଳେ ଜଣେ ଜାମ୍ମୁ କାଶ୍ମୀରର ରେସିରୁ ରହିଥିଲେ ।
ଲାହଲ-ସ୍ପିଟିରେ ଅନେକ ରାସ୍ତା ଅବରୋଧ କରାଯାଇଛି ଏବଂ ଏକାଧିକ ଭୂସ୍ଖଳନ ହେତୁ ପ୍ରାୟ ୬୦ ଟି ଗାଡି ଅଟକି ରହିଛି। ଅନ୍ୟପଟେ ଆଇଏମଡି ଅନୁଯାୟୀ ଅଗଷ୍ଟ ୧ ପର୍ଯ୍ୟନ୍ତ ଦେଶର ପୂର୍ବ, ପଶ୍ଚିମ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଶୁକ୍ରବାର ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ ଏବଂ ଝାରଖଣ୍ଡ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି।
ଆଜି ଜାମ୍ମୁ କାଶ୍ମୀରରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ୧୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ଆଇଏମଡି ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିମଧ୍ୟରେ ଶୋପୁର, ମୋରେନା, ଟିକାମଗଡ, ଛତ୍ରପୁର, ସାଗର, ଡାଟିଆ, ଶିବପୁରୀ, ଅନୁପପୁର, ଡିନ୍ଦୋରୀ, ନେମୁଚ, ମାଣ୍ଡସାଉର, ରତ୍ଲାମ, ବାଲାଘାଟ ଏବଂ ମଣ୍ଡଳ ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
