(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଝାଡଖଣ୍ଡର ଧାନବାଦ ଠାରେ ଜଣେ ବିଚାରପତିଙ୍କ ମୃତ୍ୟୁ ଘଟଣାକୁ ସୁପ୍ରିମକୋର୍ଟ ନିଜ ଆଡୁ ବିଚାର କରିବାକୁ ସ୍ଥିର କରିଛନ୍ତି । ଏନେଇ ମୁଖ୍ୟ ବିଚାରପତି ଏନ ବି ରମଣ ଓ ଜଷ୍ଟିଶ ସୁର୍ଯ୍ୟକାନ୍ତଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ ମୁଖ୍ୟ ସଚିବ ଓ ଡିଜିପିଙ୍କ ଠାରୁ ଏକ ସପ୍ତାହ ମଧ୍ୟରେ ଏହାର ଜବାବ ମାଗିଛନ୍ତି । ଏହା ସହ ରାଜ୍ୟର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ଝାଡଖଣ୍ଡ ଅଦାଲତର ବାହାର ଓ ଭିତିର ପରିଶରର ବ୍ୟବସ୍ଥାକୁ ମଧ୍ୟ କୋର୍ଟକୁ ଜଣାଇବା ପାଇଁ ବେଞ୍ଚ କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ସାରା ଦେଶରେ ନ୍ୟାୟିକ ଅଧିକାରୀଙ୍କ ଉପରେ ବହୁ ଆକ୍ରମଣ ଘଟୁଛି ବୋଲି ବେଞ୍ଚ କହିଛି । କୋର୍ଟ ସେମାନଙ୍କ ସୁରକ୍ଷା ସହ ଅନ୍ୟ ଦିଗକୁ ନେଇ ଶୁଣାଣି କରିବେ ବୋଲି ସ୍ପଷ୍ଟ କରାଯାଇଛି । ତେବେ ନିକଟରେ ଅଦାଲତ ପରିସରରେ ଓ ବାହାରେ ନ୍ୟାୟିକ ଅଧିକାରୀ ଓ ଓକିଲଙ୍କ ଉପରେ ଆକ୍ରମଣର କିଛି ଘଟଣା ସାମ୍ନାକୁ ଆସିଛି । ତେଣୁ ଏବେ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷାକୁ ନେଇ ବିଚାର କରିବାର ଆବଶ୍ୟକତା ପଡିଲାଣି ବୋଲି ବେଞ୍ଚ କହିଛି ।
ଅପରିପକ୍ଷେ ଝାଡଖଣ୍ଡ ବିଚାରପତିଙ୍କ ମୃତ୍ୟୁର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡୁ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ଏହି ଘଟଣାର ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି ବୋଲି ଡିଜିପି କହିଛନ୍ତି । ଯଦି ମାମଲାର ସଠିକ ଭାବରେ ଯାଞ୍ଚ କରାନଗଲା ତାହାଲେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଦେଶରେ ଥିବା ଆଇନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ରାଜ୍ୟସରକାର ଓ ପୁଲିସ ପ୍ରଶାସନକୁ ଏହାର ରିପୋର୍ଟ ମଧ୍ୟ ମାଗିଛନ୍ତି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଏଭଳି ଘଟଣାକୁ ନେଇ ଖୁବଶୀଘ୍ର ରାୟ ଶୁଣାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପଟେ ଧାନବାଦରେ ମଣ୍ଣିଂ ୱାକ ସମୟରେ ବିଚାରପତି ଉତ୍ତମ ଆନନ୍ଦଙ୍କ ଗୋଟିଏ ଅଟୋ ଧକ୍କା ଦେଇଥିଲା ।
ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା ।ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଥିଲା । ସିସିଟିଭି ଫୁଟେଜକୁ ଦେଖିଲେ ଏହା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ବୋଲି ଜଣାପଡି ଯାଉଛି ।
