ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ଵ ଶର୍ମା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଆସାମରେ ବିଜେପି ନେତା ତଥା ଉତ୍ତର-ପୂର୍ବ ଡେମୋକ୍ରାଟିକ୍ ଗଠବନ୍ଧନର ସଂଯୋଜକ ହିମନ୍ତ ବିଶ୍ୱ ଶର୍ମା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା, ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ଚଳିତ ବିଧାନସଭା ନିର୍ବାଚନରେ ଏନଡିଏ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭରୁ ସସପେନସ୍ ଲାଗି ରହିଥିଲା। ସର୍ବାନନ୍ଦ ସୋନୱାଲ ଏବଂ ହିମନ୍ତ ବିଶ୍ଵଶର୍ମା ଉଭୟ ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଥିବାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଏଥିରେ ହସ୍ତକ୍ଷେପ କରିଥିଲେ। ଶେଷରେ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସର୍ବାନନ୍ଦ ସୋନୱାଲ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ନବେ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆ ତାଙ୍କୁ କଂଗ୍ରେସରେ ସାମିଲ କରିଥିଲେ। ସେ ୨୦୦୬, ୨୦୧୧ ଓ ୨୦୧୬ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୫ରେ ୧୦ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ୨୦୧୬ରେ ବିଜେପିକୁ କ୍ଷମତାସୀନ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

Related Posts