ସ୍ଥାନୀୟ ଭାଷା ନୁହେଁ ବରଂ ହିନ୍ଦୀକୁ ଇଂଲିଶର ବିକଳ୍ପ ଭାବେ ଗ୍ରହଣ କରିବା ଆବଶ୍ୟକ: ଅମିତ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆମ ଜାତୀୟ ଭାଷା ହିନ୍ଦିକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ କେନ୍ଦ୍ର କ୍ୟାବିନେଟ କାର୍ଯ୍ୟସୂଚୀର ୭୦ ପ୍ରତିଶତ ବର୍ତ୍ତମାନ ହିନ୍ଦୀରେ ପ୍ରସ୍ତୁତ ହେଉଛି । ତେଣୁ ସ୍ଥାନୀୟ ଭାଷା ନୁହେଁ ବରଂ ହିନ୍ଦୀକୁ ଇଂଲିଶର ବିକଳ୍ପ ଭାବରେ ଗ୍ରହଣ କରାଯିବ ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ନୂଆଦିଲ୍ଲୀରେ ୩୭ ତମ ସଂସଦୀୟ ଆନୁଷ୍ଠାନିକ ଭାଷା କମିଟି ବୈଠକରେ ଉଦବୋଧନ ଦେବା ଅବସରରେ ଅମିତ ଶାହା ଏପରି କହିଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ହିନ୍ଦୀ ଶବ୍ଦକୋଷର ପୁନଃ ଅବଲୋକନ କରାଯିବାର ସମୟ ଆସିଛି ବୋଲି ଶାହା କମିଟିକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରାରମ୍ଭିକ ଜ୍ଞାନ ଭାବେ ହିନ୍ଦୀ ଶିକ୍ଷା ଦିଆଯିବା ଉପରେ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପଟେ ଶାହାଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ବିଜେପି ହିନ୍ଦିକୁ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟ ଉପରେ ଜବରଦସ୍ତ ଲଦିଦେବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି । ସେହିପରି ଆମେ ହିନ୍ଦୀକୁ ସମ୍ମାନ ଦେଉଛୁ କିନ୍ତୁ ଏହା ଲଦିଦିଆଯିବାକୁ ବିରୋଧ କରୁଛୁ ବୋଲି ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାଷା ରହିଛି । କେନ୍ଦ୍ର ସରକାର ହିନ୍ଦୀକୁ ଜାତୀୟ ଭାଷା କରିବା ପରିବର୍ତ୍ତେ ପେଟ୍ରୋଲ ଏବଂ ଡିଜେଲ ଦର କମାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଯାହା କହୁଛନ୍ତି ତାହା ଆଞ୍ଚଳିକ ଭାଷା ଓ ଦଳଗୁଡ଼ିକର ଗୁରୁତ୍ୱ କମାଇବାର ଏକ ଏଜେଣ୍ଡା ଭଳି ଲାଗୁଛି ବୋଲି ଶିବସେନା ନେତା ମନିଷା କାୟେନ୍ଦେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts