ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ | ସରକାର ଟିକାକରଣଙ୍କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି | ଏହାରି ମଧ୍ୟରେ ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି।
ତେବେ ଏହି ବୁଷ୍ଟର ଡୋଜ୍ ପାଇଁ ଆଉ ପୂର୍ବଭଳି କୋୱିନ୍ ଆପ୍ରେ ରେଜିଷ୍ଟର କରିବାକୁ ପଡିବ ନାହିଁ। ଅର୍ଥାତ ବିନା ପଞ୍ଜିକରଣରରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ। ହେଲେ ବୁଷ୍ଟର ଡୋଜ୍ ପାଇଁ ଦେବାକୁ ପଡିବ ଟଙ୍କା। ତେବେ କୌଣସି ଘରୋଇ ଟିକାକରଣ କେନ୍ଦ୍ର ବୁଷ୍ଟର ଡୋଜ ପ୍ରତି ୧୫୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ। ଏହାସହ ବ୍ୟକ୍ତି ଜଣଙ୍କ ଯେଉଁ କମ୍ପାନୀର କରୋନା ଟିକା ନେଇଥିବେ ସେମାନଙ୍କୁ ସେହି କମ୍ପାନୀର ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ମୁତାବକ ୧୮ ବର୍ଷ ବୟସରୁ ଅଧିକ ବୟସର ଲୋକ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ନେଇପାରିବେ। ହେଲେ ବୁଷ୍ଟର ଡୋଜ ନେବାର ୯ ମାସ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଟିକାର ଉଭୟ ଡୋଜ ନେଇଥିବା ଆବଶ୍ୟକ।
