
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଦିନକୁ ଦିନ ହନୁମାନ ଚାଳିସା ଓ ଲାଉଡସ୍ପିକରକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଏନେଇ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି । କେବଳ ଏତିକି ନୁହେଁ ବରଂ ଶାସକ ଶିବସେନା ବାରମ୍ବାର ଭାରତୀ ଜନତା ପାର୍ଟିକୁ ଟାର୍ଗେଟ କରିବାରେ ଲାଗିଛି । ଏହା ମଧ୍ୟରେ ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି । ତେବେ ଶିବସେନାର ମୁଖପତ୍ର ସାମନାରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ହିନ୍ଦୁତ୍ୱ ନାମରେ ଆରମ୍ଭ ହୋଇଥିବା ହଙ୍ଗାମାକୁ ସମର୍ଥନ କରାଯାଇପାରିବ ନାହିଁ । ହିନ୍ଦୁତ୍ୱ ଏକ ସଂସ୍କୃତି ଏବଂ ସଂସ୍କାର । ଏହାକୁ ନେଇ ହଙ୍ଗାମା କରାଯିବା ଉଚିତ ନୁହେଁ । ସାମନାରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଏହି ରାଜ୍ୟରେ ହନୁମାନ ଚାଳିସା ଜପିବା ନିଷେଧ ନୁହେଁ । ଏହା ସତ୍ତ୍ୱେ କାହିଁକି ରାଣା ଦମ୍ପତ୍ତି ଅମରାବତୀ ଏମପି ନବନୀତ ରାଣା ଏବଂ ସ୍ୱାମୀ ବିଧାୟକ ରବି ରାଣା ମାତୋଶ୍ରୀ ଆଗରେ ଏହାକୁ ଜପ କରିବାକୁ ଚାହୁଁଥିଲେ ?
ଶିବସେନା କହିଛି ଯେ ଯଦି ସେମାନେ ଜାତୀୟସ୍ତରରେ ହନୁମାନ ଚାଳିସା ଜପ କରିବାକୁ ଚାହାନ୍ତି । ତେବେ ସେମାନେ ମାତୋଶ୍ରୀ ବଦଳରେ ଲୋକ ସଭା ବାଚସ୍ପତି ଓମ ର୍ବିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ଜପ କରିବା ଉଚିତ । କେବଳ ଏତିକି ନୁହେଁ ବରଂ ଶିବସେନା ଅଭିଯୋଗ କରିଛି ଯେ ହନୁମାନ ଚାଳିସା ଉପରେ କୌଣସି ରାଜ୍ୟ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇ ନାହିଁ । ଏହା ସତ୍ତ୍ୱେ ମାତୋଶ୍ରୀକୁ ଯାଇ ଏହାକୁ ପାଠକରିବାର ଜଦ କାହିଁକି ? ପ୍ରକୃତ ପକ୍ଷେ, ରାଣା ଦମ୍ପତ୍ତିଙ୍କ ଦ୍ୱାରା ମୁମ୍ବାଇ ପରିବେଶକୁ ନଷ୍ଟ କରିବାକୁ ଭାଜପା ଯୋଜନା କରିଥିଲା । ସବୁକିଛି ସେହି କ୍ରମ ଅନୁଯାୟୀ କରାଯାଇଥିଲା । ଶିବସେନା କର୍ମୀଙ୍କ ଯୋଗୁ ରାଣା ଦମ୍ପତ୍ତିଙ୍କ ମାଧ୍ୟମରେ ବିଜେପି କରିଥିବା ଯୋଜନା ଫସର ଫାଟି ଯାଇଥିଲା ବୋଲି ସାମନାରେ ଉଲ୍ଲେଖ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।