ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ହନୁମାନ ଚାଳିସା ପଢ଼ିବେ ଏନସିପି ନେତ୍ରୀ ଫହମିଦା ହାସନ; ଏନେଇ ଅମିତ ଶାହାଙ୍କୁ ମାଗିଲେ ଅନୁମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚଲିସା ପାଠ କରି ଜେଲ ଦଣ୍ଡ ଭୋଗୁଛନ୍ତି। ଅନ୍ୟପଟେ ବର୍ତ୍ତମାନ ଏନସିପି ମଧ୍ୟ ଏହି ବିବାଦ ଭିତରକୁ ଚାଲିଯାଇଥିବାର ଦେଖିବାକୁ ମିଳିଛି । ଅର୍ଥାତ ଏନସିପି ନେତ୍ରୀ ଫମିଦା ହାସନ ଖାନ ହନୁମାନ ଚାଳିସାକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ ସେ ହନୁମାନ ଚାଳିସା ଏବଂ ଦୁର୍ଗା ପାଠ କରିବାକୁ ଚାହୁଁଛନ୍ତି ବୋଲି ଏନସିପି ନେତ୍ରୀ ଫମିଦା ହାସନ କହିଛନ୍ତି। ଏହା ସହ ଅନୁମତି ଓ ସମୟ ପାଇଁ ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସେ ଏକ ଚିଠି ଲେଖିଛନ୍ତି । ଅନ୍ୟପଟେ ଫହମିଦା ହାସନଙ୍କ ସହିତ ଶହ ଶହ ଲୋକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ହନୁମାନ ଚଲିସା ପାଠ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସେ ଏହି ଚିଠିକୁ ଟ୍ୱିଟ କରିଛନ୍ତି।

ଏହା ସହ ଫହମିଦା ହାସନ କହିଛନ୍ତି ଯେ ସେ ସବୁବେଳେ ତାଙ୍କ ଘରେ ହନୁମାନ ଚାଳିସା ଏବଂ ଦୁର୍ଗା ପୂଜା କରନ୍ତି। କିନ୍ତୁ ଦେଶରେ ଦରଦାମ ଏବଂ ବେକାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଦରୁ ଉଠାଇବା ଜରୁରୀ ହୋଇପଡିଛି ଫହମିଦା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ରବି ରାଣା ଏବଂ ନବନୀତ୍ ରାଣା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ପଢ଼ି ମହାରାଷ୍ଟ୍ରର ଲାଭ ଦେଖୁଛନ୍ତି, ତେବେ ଦେଶର ଲାଭ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନକୁ ଯାଇ ହନୁମାନ ଚଲିସା ଏବଂ ଦୁର୍ଗା ପାଠ କରିବା ଅତ୍ୟନ୍ତ ଜରୁରୀ ଅଟେ ବୋଲି ଏନସିପି ନେତ୍ରୀ ଫହମିଦା ହାସନ ଖାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts