
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟରେ ୫୦ ହଜାର ଟପିଲା ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା । ୨୦୧୯-୨୦ ମସିହାରେ ୨୪୬୭ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୬ଜଣ ହେଉଛନ୍ତି ଯୁବ ବର୍ଗର । ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୩୦ ମସିହା ସୁଦ୍ଧା ଦେଶରୁ ଏଡ୍ସମୁକ୍ତ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି ।
ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୪୯ହଜାର ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଡିସେମ୍ବର ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ୨୮୨ରେ ପହଞ୍ଚିଛି । ଗତ ୩ ମାସରେ ୮୮୧ଜଣ ନୂତନ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଏଚ୍ଆଇଭି ଆକ୍ରାନ୍ତ ହାର ୪୧% ରହିଛି । ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇସିଟିସି ଜରିଆରେ ମାଗଣାରେ ଏଚ୍ଆଇଭି ପରୀକ୍ଷା କରାଯାଉଛି । ଗ୍ରାମାଞ୍ଚଳରେ ଭିଏଚ୍ଏନ୍ଡି ଜରିଆରେ ମଧ୍ୟ ସ୍କ୍ରିନିଂ କରାଯାଉଛି । ଏହାସହ ବିଭିନ୍ନ ଏନ୍ଜିଓ ସଂସ୍ଥାମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଏଚ୍ଆଇଭି ସ୍କ୍ରିନିଂ କରାଯାଉଛି ।
ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସ୍କ୍ରିନିଂକୁ ଏବେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି । ଫଳରେ ଲୋକମାନେ ସ୍ବେଚ୍ଛାକୃତ ଭାବେ ସ୍କ୍ରିନିଂ କରିବା ପାଇଁ ଆଗଭର ହେଉଛନ୍ତି । ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ କ୍ଷେତ୍ରରେ ୩ ପ୍ରତିଶତ ହ୍ରାସ ଘଟିଛି ।
ଏଚ୍ଆଇଭି ପରୀକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରିବାଲାଗି ୨୦ଟି କମ୍ପାନି ସହିତ ଓସାକ୍ସ ରାଜିନାମା ସ୍ୱାକ୍ଷରିତ କରିଛି । ରାଜ୍ୟରେ ଏଡ୍ସ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିବାବେଳେ ଏଡସ୍ ନିୟନ୍ତ୍ରଣ ସମିତି ବିଭିନ୍ନ ଏନ୍ଜିଓମାନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରିଥାଏ । ତେବେ ଏତେ ସଚେତନତା ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଓ ତାଲିକାରେ ଯୁବଗୋଷ୍ଠି ଅଧିକ ଭାବରେ ରହିବା ଏବେ କର୍ତ୍ତୃପକ୍ଷଙ୍କ ସଚେତନତା ଓ ନିୟନ୍ତ୍ରଣମୂଳକ ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।