
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଦିବାସୀଙ୍କ ଖାଦ୍ୟ ମାଣ୍ଡିଆର ସ୍ବାଦ ଚାଖିବେ ବିଶ୍ବକପ୍ ଖେଳାଳି। ଆସନ୍ତା ୨୦୨୩ ଜାନୁଆରି ୧୩ରୁ ୧୯ ମଧ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ସମୟରେ ଖେଳାଳି, ପରିଚାଳନା ଅଧିକାରୀ (ଅଫିସିଆଲ୍)ଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପରସା ଯିବ ବୋଲି ଜଣାପଡ଼ିଛି।
ଦିନଥିଲା ମାଣ୍ଡିଆକୁ ଧନୀ, ସ୍ବଚ୍ଛଳ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ, ଆଦିବାସୀଙ୍କ ଖାଦ୍ୟ କହୁଥିଲେ।ସେମାନଙ୍କ ଖାଦ୍ୟ ଥାଳିରେ ଏହାର ସ୍ଥାନ ନଥିଲା। କିନ୍ତୁ, ଦୁଗ୍ଧଠାରୁ ତିନି ଗୁଣ କ୍ୟାଲସିୟମ ଥିବା ମାଣ୍ଡିଆର ପୋଷକ ତତ୍ତ୍ବକୁ ଜାଣିବା ପରେ ଏବେ ସଚେତନ ଓ ମଧ୍ୟବିତ୍ତ ବର୍ଗ ଊଣା ଅଧିକେ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଲେଣି। ବିଶେଷକରି, ପୁଷ୍ଟିକର ଖାଦ୍ୟ ଭାବେ ସରକାର ମାଣ୍ଡିଆ ପ୍ରସ୍ତୁତ ଲଡୁ ଓ ଅନ୍ୟ ସ୍ବାଦିଷ୍ଟ ବ୍ୟଞ୍ଜନ ଅଙ୍ଗନବାଡ଼ି ଶିଶୁଙ୍କୁ ଯୋଗାଇ ଦେଉଥିବା ବେଳେ ଆଗକୁ ମଧ୍ୟାହ୍ନ ଭୋଜନ ଓ ଅତ୍ୟାବଶ୍ୟକ ସାମଗ୍ରୀରେ ଏହାକୁ ସାମିଲ କରିବାକୁ ଯୋଜନା କରିଛନ୍ତି। ଏବେ ହକି ବିଶ୍ବକପ୍ ସମୟରେ ଏହି ଖାଦ୍ୟକୁ ସାମିଲ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ହସ୍ତଗତ ସୂଚନା
ଅନୁସାରେ, ଖେଳାଳି ଓ ଅଧିକାରୀମାନଙ୍କୁ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଇଡ୍ଲି, ଦୋସା, ବିସ୍କୁଟ, ସିଙ୍ଗଡ଼ା, ରସଗୋଲା, କେକ୍, ଲଡୁ, ପିଜା, ବର୍ଗର ସହ ୪୦ ପ୍ରକାର ବ୍ୟଞ୍ଜନ ପରସା ଯିବ। ଏଥିପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ଦେଶବିଦେଶର ଖେଳାଳିମାନଙ୍କୁ ଓଡ଼ିଶାର ଏକ ନୂଆ ତଥା ପୋଷଣଯୁକ୍ତ ଖାଦ୍ୟ ସହ ପରିଚିତ କରାଇବା ଓଡ଼ିଶା ସରକାର ଏହାଉପରେ ବିଚାରବିମର୍ଶ କରୁଥିବା ସୂଚନା ମିଳିଛି। ରାଉରକେଲା ଝିରପାନିର ଦିବ୍ୟଜ୍ୟୋତି ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ସୁନ୍ଦରଗଡ଼ ଜିଲ୍ଲାର କେଇ ସ୍ବୟଂ ସହାୟିକା ଗୋଷ୍ଠୀ ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ମାଣ୍ଡିଆ ଭଳି ପୃଷ୍ଟିକର ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ପ୍ରତିବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ସ୍ଥିର ହୋଇଛି। ଏହି କ୍ରମରେ ଚଳିତ ବର୍ଷ ନଭେମ୍ବର ୧୦ ତାରିଖକୁ ରାଜ୍ୟବ୍ୟାପୀ ଧୁମଧାମରେ ପାଳନ କରାଯାଇଛି।
ଅନ୍ୟପକ୍ଷରେ, ଆଗାମୀ ହକି ବିଶ୍ବକପ ପାଇଁ ଖେଳାଳି, ଅଫିସିଆଲଙ୍କ ଗମନାଗମନ ପାଇଁ ରାଉରକେଲା ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ। ଏସବୁ କାର୍ଯ୍ୟ ଚଳିତମାସ ଶେଷସୁଦ୍ଧା ସମ୍ପନ୍ନ ହେବାସହ ଡିସେମ୍ବର ୧୫ ତାରିଖରୁ ଏଠାରୁ ବିମାନ ଉଡ଼ିବା ସମ୍ଭାବନା ଅଧିକ। ଏତଦ୍ବ୍ୟତୀତ ଖେଳାଳି, ଅଫିସିଆଲଙ୍କ ଯାତାୟତ ପାଇଁ ୪୦ଟି ଅତ୍ୟାଧୁନିକ ବସ୍ କିଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।