ହକି ବିଶ୍ବକପ୍‌ରେ ଗୋଲ୍ ବର୍ଷା; ୧୪-୦ରେ ଚିଲିକୁ ପରାସ୍ତ କଲା ନେଦରଲାଣ୍ଡ୍‌ ଦଳ

ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ହକି ବିଶ୍ବକପ୍‌-୨୦୨୩ରେ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ନ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା କରିଛନ୍ତି। ଏହି ମ୍ୟାଚ୍‌ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍‌ ବିଶାଳ ବିଜୟ ହାସଲ କରିଛି। ନେଦରଲାଣ୍ଡ୍‌ ଟିମ୍ ୧୪-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛନ୍ତି।

ନେଦରଲାଣ୍ଡସ୍‌ ପକ୍ଷରୁ ଜନସିନ୍‌ ଜିପ୍‌ ସର୍ବାଧିକ ୪ଟି ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେ ଚିଲି ବିପକ୍ଷରେ ୬, ୨୯, ୩୪ ଓ ୪୪ ମିନିଟରେ ଗୋଲ୍‌ ମାରିଥିଲେ। ବିଙ୍କମ୍ୟାନ୍‌ ଥିରି ୨୫, ୩୩ ଓ ୫୮ ମିନିଟ୍‌ରେ ୨ଟି ଫିଲ୍ଡ ଗୋଲ ସମେତ ୩ଟି ଗୋଲ୍‌ ଦେଇଥିବା ବେଳେ ୪୦ ଓ ୪୫ ମିନିଟରେ ବିଜେନ୍‌ କୋଏନ୍‌ ଫିଲ୍ଡ ଗୋଲ ଦେଇଥିଲେ। ଡେ ଭିଡଲର ଡେରାକ୍‌, ଭାନ୍‌ ଦାମ୍‌ ଥିଜିସ, ପିଟରସ୍‌ ତେରାନ୍‌ସ, ବ୍ଲକ ଜଷ୍ଟେନ୍‌ ଓ ବେଇନ୍‌ସ ଟେଉନ୍‌ ଯଥାକ୍ରମେ ୨୨, ୨୩, ୩୭, ୪୨ ଓ ୪୮ ମିନିଟରେ ଗୋଲ ଦେଇଥିଲେ।

ସୂଚନାଯୋଗ୍ୟ, ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆ ଗତ ୧୩ ତାରିଖ ଦିନ କଳିଙ୍ଗ ଷ୍ଟାଡିୟ‌ମରେ ୮-୦ ଗୋଲ୍‌ରେ ଫ୍ରାନ୍ସ ବିପକ୍ଷରେ ବିଜୟ ହାସଲ କରିଥିଲା। ସେହିପରି ସେହିଦିନ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଥିଲା। ୧୪ ତାରିଖରେ ବେଲଜିୟମ୍‌ ୫-୦ ଗୋଲ୍‌ରେ କୋରିଆକୁ ହରାଇ ଥିବା ବେଳେ ୧୫ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ଠାରୁ ୫-୧ ଗୋଲ୍‌ରେ ୱେଲ୍‌ସ ପରାସ୍ତ ହୋଇଥିଲା।

ଏହା ପୂର୍ବରୁ ବିଶ୍ବକପ୍-୨୦୨୩ର ମାଲେସିଆ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ମାଲେସିଆ ତରଫରୁ ସାରି ଫେଇଜଲ୍ ୨ଟି ଗୋଲ କରିଥିବା ବେଳେ ରହିମ ରାଜି ୧ ଗୋଲ କରିଥିଲେ। ସେହିପରି ନିଉଜିଲ୍ୟାଣ୍ଡ ତରଫରୁ ଫିଲିପ୍ସ ହଇଡେନ୍ ଏବଂ ସେମ୍ ଲେନ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସେମ ଲେନ ଏହି ଗୋଲ ସହିତ ନିଜ କ୍ୟରୀୟରର ୨୫୦୦ ଗୋଲ ସ୍କୋର କରିଥିଲେ।

Related Posts