ଓଲିଉଡ କଳିରେ ପଶିଲା ରାଜନୀତି; ନରସିଂହ କହିଲେ, ‘ମନୋଜଙ୍କ ଉପରୁ ବ୍ୟାନ ନ ହଟିଲେ, ଦୁଇଭାଗ ହେବ ଓଡିଶା’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଲିଉଡ କଳିରେ ପଶିଲା ରାଜନୀତି । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ 2 ବର୍ଷ ବାସନ୍ଦ କରିବା ପରେ ଏହି ବିବାଦରେ ଏବେ ରାଜନେତାଙ୍କ ଏଣ୍ଟ୍ରି ହୋଇଛି | ମନୋଜଙ୍କ ସପକ୍ଷରେ ବାହାରିଛନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର | ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହାଙ୍ଗା ପଡ଼ିବ । ତୁରନ୍ତ ମନୋଜଙ୍କ ଉପରୁ ବାସନ୍ଦ ନ ହଟିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ନରସିଂହ। ଏଭଳି ନିଷ୍ପତ୍ତିରୁ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରି ଦୂରରେ ରହି ପଶ୍ଚିମ ଓଡ଼ିଶାର କଳାକାର ପ୍ରଯୋଜକଙ୍କୁ ଉଚିତ୍ ସମ୍ମାନ ଦେଉ ବୋଲି କହିଛନ୍ତି ନରସିଂହ । ଗତକାଲି ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି ଚେତବାନୀ ଦେଇଛନ୍ତି | ଆଉ ନରସିଂହଙ୍କ ଏହି ବୟାନ ପରେ ଏବେ ଏହି ବିବାଦ ଅଧିକ ତୀବ୍ର ହେବା ଭଳି ମନେ ହେଉଛି।

ତେବେ ନିକଟରେ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ ସିନେମା ରିଲିଜ ହୋଇଥିଲା | ସେହିପରି ଦଶହରାରେ ଅରିନ୍ଦମଙ୍କ ରାମ ସିନେମା ମଧ୍ୟ ରିଲିଜ ହୋଇଥିଲା | ହେଲେ ମନୋଜ ମିଶ୍ର ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ପ୍ରଡ୍ୟୁସର ଆସୋସିଏସନର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ଅରିନ୍ଦମ । ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ରିଲିଜ କରାଇ ଦେଇନଥିବା ସେ ଅଭଯୋଗ କରିଥିଲେ। ଆଉ ଅରିନ୍ଦମଙ୍କ ଅଭିଯୋଗ ପରେ ପ୍ରଡ୍ୟୁସର ଆସୋସିଏସନ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଥିଲେ |

ଏହାପରେ ଏହାକୁ ନେଇ ବିବାଦ ଓ ବୟାନବାଜି ଆରମ୍ଭ ହୋଇଥିଲା । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ମନୋଜଙ୍କୁ ନେଇ ବୟାନ ଦେଇଥିଲେ ଓ ପରେ ଉଭୟ ପକ୍ଷରୁ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ବୟାନବାଜୀ ଜାରି ରହିଥିଲା | ଏସବୁ ଭିତରେ ଏବେ ଏହି ବିବାଦରେ ନରସିଂହଙ୍କ ଏଭଳି ବୟାନ ଏହି ବିବାଦକୁ ଅଧିକ ତୀବ୍ର କରିବା ଭଳି ମନେ ହେଉଛି | ଓଲିଉଡ କଳିରେ ଏବେ ରାଜନେତାଙ୍କ ଏଣ୍ଟ୍ରି ହୋଇଥିବା ବେଳେ ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ଏବେ ତାହାରି ଉପରେ ନଜର|

Related Posts