ପାରା ଏସୀୟ କ୍ରୀଡା 2023: ଭାରତର ପଦକ ସେଞ୍ଚୁରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତର ପଦକ ସଂଖ୍ୟା ଶତକ ଛୁଇଁଛି । ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ପଦକ ସଂଖ୍ୟା 100 ଛୁଇଁଛି ।

ପାରା ଏସୀୟ କ୍ରୀଡାର ଚତୁର୍ଥ ସଂସ୍କରଣର ଅନ୍ତିମ ଦିନରେ ଭାରତକୁ ଏହି ସଫଳତା ମିଳିଛି । ଆଜି ଷଷ୍ଠ ଦିନରେ ପୁରୁଷ 400 ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତର ପଦକ ସଂଖ୍ୟାକୁ 100ରେ ପହଞ୍ଚାଇଛନ୍ତି ଦିଲ୍ଲୀପ ମହାଡୁ ଗାଭିଟ । ବର୍ତ୍ତମାନ ସୁଦ୍ଧା ପାରା ଏସୀୟ କ୍ରୀଡାରେ ଭାରତକୁ 26ଟି ସ୍ବର୍ଣ୍ଣ, 29ଟି ରୌପ୍ୟ ଓ 45ଟି ବ୍ରୋଞ୍ଜ ପଦକ ମିଳିଛି ।

ଆଜି ଅନ୍ତିମ ଦିନରେ ଭାରତୀୟ କ୍ରୀଡାବିତଙ୍କ ତିନୋଟି ଇଭେଣ୍ଟ ରହିଛି । ପୁରୁଷ 400 ମିଟର T47 ଇଭେଣ୍ଟ ଶେଷ ହୋଇଥିବା ବେଳେ ଭାରତୀୟ କ୍ରୀଡାବିତ ଦିଲ୍ଲୀପ ମହାଡୁ ଗାଭିଟ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି । 400 ମିଟରକୁ ସେ 49.48 ସେକେଣ୍ଡରେ ଶେଷ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଜାକାର୍ତ୍ତାରେ ଖେଳାଯାଇଥିବା ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିଲା । ଅକ୍ଟୋବର 26 ତାରିଖରେ ଏହି ରେକର୍ଡକୁ ଭାଙ୍ଗିଥିଲା ଭାରତ । ପଦକ ସଂଖ୍ୟା 80 ପାର କରିଥିଲା । ଏହାପରେ ଭାରତୀୟ କ୍ରୀଡାବିତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ମେଡାଲ ସଂଖ୍ୟା 100ରେ ପହଞ୍ଚାଇଛନ୍ତି । ପ୍ରଥମ ଥର ପାଇଁ ପାରା ଏସୀୟ କ୍ରୀଡାରେ ଭାରତ ପଦକ ସଂଖ୍ୟାରେ ଶତକ କରିଛି ।

2018ରରେ ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାର ତୃତୀୟ ସଂସ୍କରଣରେ 188 ଜଣ ଭାରତୀୟ ଖେଳାଳି ସାମିଲ ହୋଇଥିଲେ । ଭାରତୀୟ ଆଥଲେଟ୍ସ ଶ୍ରେଷ୍ଠ ପ୍ରଦର୍ଶନ କରି 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି କାଂସ୍ୟ ପଦକକୁ ମିଶାଇ ମୋଟ 72ଟି ପଦକ ହାସଲ କରିଥିଲେ । ଚଳିତ ସଂସ୍କରଣରେ ଭାରତୀୟ ଖେଳାଳି 17ଟି ଇଭେଣ୍ଟରେ 309 ଜଣ ଖେଳାଳି ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଆଜି ପଦକ ସଂଖ୍ୟା 100 ପାର କରିବ ବୋଲି ଆଶା।

Related Posts