ନୂଆପଡ଼ା (ସତ୍ୟପାଠ ବ୍ୟୁରୋ ): ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ। ଦିନ ଦିନ ଧରି ବିଜୁଳି ନାହିଁ, ସେ ପୁଣି ଜରୁରୀକାଳୀନ ସ୍ଥାନ ମେଡିକାଲରେ। ରୋଗୀଙ୍କ ଚିକିତ୍ସା କେମିତି ହେବ, ସେନେଇ କାହାର ନିଘା ନାହିଁ। ବାଧ୍ୟ ହୋଇ ଡାକ୍ତରମାନେ ମୋବାଇଲ ଲାଇଟରେ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ହେବ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି। ଡାକ୍ତର ଓ ନର୍ସମାନେ ମୋବାଇଲ ଲାଇଟରେ ରୋଗୀଙ୍କୁ ସାଲାଇନ, ଇଞ୍ଜେକସନ, ବିପି ଟେଷ୍ଟ ଓ ସୁଗର ଟେଷ୍ଟ ସମେତ ଅନ୍ୟାନ୍ୟ ଜରୁରୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ଟେଷ୍ଟ ପାଇଁ ଲୋକେ ହଇରାଣ ହେଉଛନ୍ତି। ଇନପୁଟ ଲାଇନରେ ତ୍ରୁଟି ଥିବାରୁ ଜେନେରେଟର ମାଧ୍ୟମରେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇ ପାରୁନାହିଁ। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତ କହିଛନ୍ତି ଯେ, ଏ ବିଷୟରେ ନୂଆପଡ଼ା ସିଡିଏମଓ, ନୂଆପଡ଼ା ବିଦ୍ୟୁତ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ଖଡ଼ିଆଳ ବିଦ୍ୟୁତ ବିଭାଗର ଏସ୍.ଡି.ଓଙ୍କୁ ଲିଖିତ ଭାବେ ଅବଗତ କରାଇସାରିଛୁ। ନୂଆପଡ଼ାରୁ ଏକ ବିଶେଷଜ୍ଞ ବିଦ୍ୟୁତ ଦଳ ଆସି ମରାମତି କାର୍ଯ୍ୟ କରୁଛନ୍ତି। ଫଲ୍ଟ ଚିହ୍ନଟ ହୋଇ ନ ପାରୁଥିବାରୁ ବିଦ୍ୟୁତ ସଂଯୋଗ କରିବାରେ ବିଳମ୍ବ ହେଉଛି। ହସ୍ପିଟାଲ କର୍ତ୍ତୃପକ୍ଷ ଯେତେ ଶୀଘ୍ର ସମ୍ଭବ ମରାମତି କରି ରୋଗୀ ସେବାକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ତେବେ ବିଦ୍ୟୁତ ଅଭାବରୁ ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ରୋଗୀ ମାନେ ତିନି ଦିନରୁ ଅଧିକ ହେବ ଲାଇଟ ସମସ୍ୟା ରହିଥିବା ପ୍ରକାଶ କରିଛନ୍ତି।