ବିଶ୍ୱସ୍ତରୀୟ ରେଳଷ୍ଟେସନ ପାଇଁ ମଉଳିଲା ଆଶା; ଦରକାର ୪୫୫ କୋଟି ଟଙ୍କା ହେଲେ ବଜେଟରେ ମିଳିଛି ୨.୫୩ କୋଟି ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱସ୍ତରୀୟ ରେଳଷ୍ଟେସନ ପାଇଁ ମଉଳିଲା ଆଶା । ଦୀର୍ଘ ୧୦ ବର୍ଷ ଧରି ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ରାଜ୍ୟବାସୀ ଯେଉଁସ୍ବପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗି ଚୂରମାର୍ ହେବା ନେଇ ଆଶଙ୍କା ସୃଷ୍ଟି ହେଇଛି। ରାଜ୍ୟ ସରକାର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇବେନାହିଁ କି ରେଲୱେକୁ ଜମି ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଠିକ୍ ସେମିତି ରେଳ ମନ୍ତ୍ରଣାଳୟ ଭୁବନେଶ୍ବରରେ ଏଥିପାଇଁ ଅର୍ଥ ବ୍ୟୟ କରିବନି ବୋଲି ନିଷ୍ପତ୍ତି କରିଛି। ଯେଉଁଥିପାଇଁ ଚଳିତ ବଜେଟ୍ରେ ଭୁବନେଶ୍ବର ରେଳ ଷ୍ଟେସନରେ ଗୋଟିଏ ନୂଆ ପ୍ଲାଟଫର୍ମ ଏବଂ ଏବେ ଥିବା ଫୁଟ୍ ଓଭରବ୍ରିଜ୍କୁ ସମ୍ପ୍ରସାରଣ ପାଇଁ ମାତ୍ର ୨.୫୩କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବିଶ୍ବସ୍ତରୀୟ ରେଳ ଷ୍ଟେସନ ପାଇଁ ୪୫୫କୋଟି ଟଙ୍କାର ଏକ ବଡ ବଜେଟ ଆକଳନ କରାଯାଇଥିଲା। ଆସନ୍ତା ଆର୍ଥିକ ବର୍ଷ ଲାଗି ହୋଇଥିବା ବ୍ୟୟବରାଦ ସୂଚାଇ ଦେଉଛି ଯେ ସ୍ବପ୍ନର ଏହି ପ୍ରକଳ୍ପ ଏବେ ସବୁଦିନ ପାଇଁ ସ୍ବପ୍ନରେ ହିଁ ରହିଯିବ। ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରରେ ରେଳ ବିଭାଗର ମନ୍ତ୍ରୀ ଦାୟିତ୍ବ ଦିଆଯିବା ପରେ ଏହି ପ୍ରକଳ୍ପକୁ ନେଇ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ବଢ଼ିଯାଇଥିଲା।

ଯେହେତୁ ବିଜେଡି-ବିଜେପି ମିଳିତ ଭାେବ ଅଶ୍ବିନୀଙ୍କୁ ରାଜ୍ୟସଭା ପଠାଇଥିଲେ, ବିଭିନ୍ନ ମହଲ ଏକଥା ଆଶା କରୁଥିଲେ ଯେ ଅଶ୍ବିନୀ ଦୁଇ ପକ୍ଷଙ୍କୁ ସୁହାଇଲା ଭଳି କାମ କରିବେ। ବହୁ ଦିନର ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ଏକ ବଡ଼ ଅର୍ଥରାଶି ମିଳିବ ଓ ଏହା ତାଙ୍କରି ସମୟରେ ପୂର୍ଣ୍ଣାଙ୍ଗ ରୂପ ନେବ। ହେଲେ ଫଳ ଶୂନ। ଚଳିତ ବଜେଟ୍ରେ ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୯୭୩୪ କୋଟି ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ଏହା ଓଡ଼ିଶା ପାଇଁ ଐତିହାସିକ ବଜେଟ୍ ବୋଲି କହୁଛନ୍ତି। ବହୁ ରେଳ ପ୍ରକଳ୍ପ ପାଇଁ ଅନୁଦାନ ମିଳିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ହେଲେ ଯେଉଁ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ କୁହାଯାଉଥିଲା ସେଥିରେ ରେଲୱେର ମୋଟ୍ ୧ଲକ୍ଷ ୪୦ହଜାର କୋଟିର ବଜେଟ୍ରୁ ଭାଗ ପଡ଼ିଛି ମାତ୍ର ଅଢେଇ କୋଟି। ତିନି ବର୍ଷ ତଳେ ଯେଉଁ ୭୦କୋଟି ଟଙ୍କା ମିଳିଥିଲା ତାହା ଖର୍ଚ୍ଚ ହୋଇପାରିନଥିବାରୁ ମାର୍ଚ୍ଚ ୩୧ ପରେ ଫେରିଯିବ। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ୭୦କୋଟି ତିନିବର୍ଷ ହେଲା ଧରିବସିବା ସତ୍ତ୍ବେ ପ୍ରକଳ୍ପ ଆରମ୍ଭ ହୋଇନପାରିବାରୁ ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି।

Related Posts