ୟୁନିଫର୍ମ ଅନୁଯାୟୀ ଆମେ ହିଜାବ ପିନ୍ଧିପାରିବୁ, ହେଲେ ପିନ୍ଧିବା ବନ୍ଦ କରିପାରିବୁନି: କଂଗ୍ରେସ ବିଧାୟକ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଉଡୁପିରେ ଥିବା କେତେକ କଲେଜ ମୁସଲମାନ ଛାତ୍ରୀମାନଙ୍କୁ ଶ୍ରେଣୀରେ ହିଜାବ ପିନ୍ଧିବାକୁ ବାରଣ କରିବା ପରେ ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ କଂଗ୍ରେସ ବିଧାୟକ କନିଜ ଫାତିମା ତାଙ୍କ ସମର୍ଥକଙ୍କ ସହ ଏହା ବିରୋଧରେ ପ୍ରଦର୍ଶନ କରିଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ କଂଗ୍ରେସ ବିଧାୟକ କହିଛନ୍ତି ଯେ ଝିଅମାନଙ୍କୁ ଦମନ କରାଯାଉଛି । ପରୀକ୍ଷାର ଦୁଇମାସ ପୂର୍ବରୁ ସେମାନଙ୍କୁ ବିଦ୍ୟାଳୟରେ ଆଡମିଶନ ଦିଆଯାଉ ନାହିଁ। ଏହାକୁ ବିରୋଧ କରି ସମସ୍ତ ଜାତି ଓ ଧର୍ମର ଲୋକମାନେ କାଲାବର୍ଗରେ ଡେପୁଟି କଲେକ୍ଟରଙ୍କ କାର‌୍ୟ୍ୟାଳୟରେ ଏକତ୍ରିତ ହୋଇ ଏହାକୁ ବିରୋଧ କରିଥିଲେ ।

ସେପଟେ ଫାତିମା କହିଛନ୍ତି, ଆମେ ୟୁନିଫର୍ମ ଅନୁଯାୟୀ ହିଜାବର ରଙ୍ଗ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ କିନ୍ତୁ ଆମେ ଏହାକୁ ପିନ୍ଧିବା ବନ୍ଦ କରିପାରିବୁ ନାହିଁ। ମୁଁ ବିଧାନସଭାରେ ହିଜାବ ମଧ୍ୟ ପିନ୍ଧିଥାଏ । ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଏବଂ ପରେ ଆମେ ଉଦୁପିରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବୁ। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପର‌୍ୟ୍ୟନ୍ତ ସମସ୍ତେ ଏହାକୁ ପିନ୍ଧିଥିଲେ । ହେଲେ ସେମାନେ ହଠାତ୍ କାହିଁକି ଆମକୁ ବୁର୍ଖା ପିନ୍ଧିବାକୁ ଅଟକାଉଛନ୍ତି ? ବୁର୍ଖା କିଛି ନୂଆ ନୁହେଁ । ଏହା ବହୁ ଆଗରୁ ପିନ୍ଧାଯାଉଛି ବୋଲି କଂଗ୍ରେସ ବିଧାୟକ କନିଜ ଫାତିମା କହିଛନ୍ତି ।

Related Posts