ଅକ୍ସିଜେନ ମାଗିବା ପଡିଲା ମହଙ୍ଗା, ମିଳିଲା ହସ୍ପିଟାଲ ବନ୍ଦ ଧମକ

covid

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି । ଏପରି ଏକ ଘଡିସନ୍ଧି ମୁହୁତ୍ତରେ ଜଣେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ଆକ୍ରୋଶରୁ ଅକ୍ସିଜେନ ବଦଳରେ ହସ୍ପିଟାଲକୁ ବନ୍ଦ କରିଦେବାର ଧମକ କଥା ସାମ୍ନାକୁ ଆସିଛି । ତେବେ କଟକ ସ୍ଥିତ ସନ ହସ୍ପିଟାଲରେ କିଛି ଦିନ ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିଲା । ହସ୍ପିଟାଲ କତ୍ତୃପକ୍ଷ ହିଁ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା କତ୍ତୃପକ୍ଷଙ୍କ ମୃତ୍ୟୁ ଘଟିନଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ହସ୍ପିଟାଲକୁ ବନ୍ଦ କରିଦେଇଥିଲେ । ଅନ୍ୟପଟେ ଏହା ପ୍ରଥମ ହସ୍ପିଟାଲ ନୁହଁ ଯେଉଁଠାରେ ଅଗ୍ନିକାଣ୍ଡ ଘଟିଛି । ଓଡିଶାରେ ଏପରି ଅନେକ ହସ୍ପିଟାଲ ଅଛି ଯେଉଁଠାରେ ଅଗ୍ନିକାଣ୍ଡ ଘଟିଛି ଏବଂ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ସନ ହସ୍ପିଟାଲ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ସମସ୍ତଙ୍କୁ ସନ୍ଦେହ ଘେରରେ ରଖିଦେଉଛି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କତ୍ତୃପକ୍ଷ ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ପଦକ୍ଷେପମାନ ଗ୍ରହଣ କରିଥିଲେ । ଏହା ପରେ ୧୭ ତାରିଖରେ ସମସ୍ତଙ୍କୁ ଅବଗତ କରି ହସ୍ପିଟାଲକୁ ପୁଣିଥରେ ଖୋଲିଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରାଯାଇଥିଲା । ରୋଗୀ ଚିକିତ୍ସାରେ ଅକ୍ସିଜେନ ଅଭାବ ପଡିବାରୁ ହସ୍ପିଟାଲ କତ୍ତୃପକ୍ଷ ଏନେଇ ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଅନୁରୋଧ କରିବା ଏତେ ମହଙ୍ଗା ପଡିବ ବୋଲି କେହି ଜାଣି ନଥିଲେ । ପ୍ରଶାସନ ହସ୍ପିଟାଲକୁ ସାହାଯ୍ୟ କରିବା ପରିବତ୍ତେ ଦଣ୍ଡବିଧାନ କରିବାକୁ ଆଗେଇ ଆସିଛି । ବିନା ଅନୁମତିରେ ହସ୍ପିଟାଲ କିଭଳି ଚାଲିଛି ବୋଲି ପ୍ରଶାସନ ପାଲଟା ହସ୍ପିଟାଲ କତ୍ତୃପକ୍ଷଙ୍କୁ କରିଛି । ଏବେ ପ୍ରଶ୍ନ ଉଠୁଛି ଚୁପ ରହିଥିବା ପ୍ରଶାସନ ହଠାତ କାହିଁକି କାର୍ଯ୍ୟାନୁଷ୍ଠାନର ଧମକ ଦେଉଛି । ଏହା ବ୍ୟକ୍ତିଗତ ଆକ୍ରୋଶ ନୁହେଁ ତ । ରାଜ୍ୟରେ ଅନେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି, କିନ୍ତୁ ଅନ୍ୟମାନଙ୍କ ଠାରୁ ସମ୍ପୃକ୍ତ ହସ୍ପିଟାଲର ଦଣ୍ଡବିଧାନ କାହିଁକି ଅଲଗା । ଅଗ୍ନିକାଣ୍ଡ ଘଟିଲେ ହସ୍ପିଟାଲକୁ ବନ୍ଦ କରି ଦିଆଯାଏ କି । ଏପରି ଅନେକ ପ୍ରଶ୍ନ ଉପୁଜୁଛି ।

ଅନ୍ୟପଟେ ମୁଖ୍ୟତଃ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ମାନଙ୍କରେ ଥିବା ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି । ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଉଥିବାର ଖବର ସାମ୍ନାକୁ ଆସୁଛି । ଏପରିସ୍ଥଳେ ଓଡିଶା ସେହି ରାଜ୍ୟ ମାନଙ୍କୁ ଅକ୍ସିଜେନ ଯୋଗାଉଛି । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଅନେକ ବାଃ ବାଃ ସାଉଣ୍ଟୁଛନ୍ତି ।

Related Posts