ସମ୍ଭାବ୍ୟ କୋଭିଡ ସ୍ଥିତିର ମୁକାବିଲା ପାଇଁ ଆଜି ଦେଶବ୍ୟାପୀ ହସ୍ପିଟାଲ ଗୁଡିକରେ ହେବ ମକଡ୍ରିଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ଭାବ୍ୟ କୋଭିଡ ସ୍ଥିତିର ମୁକାବିଲା ଲାଗି ଦେଶ କେତେ ପ୍ରସ୍ତୁତ ଅଛି ତାହା ଜାଣିବାକୁ ଆଜି ଦେଶବ୍ୟାପୀ ହସ୍ପିଟାଲ ଗୁଡିକରେ ହେବ ମକଡ୍ରିଲ । ଚୀନ୍‌ ସମେତ ଅନ୍ୟାନ୍ୟ ଦେଶ ଗୁଡିକରେ କରୋନା କାୟା ମେଲାଇବା ପରେ ସଜାଗ ହୋଇପଡିଛି ଭାରତ। ପୂର୍ବରୁ କରୋନାର ଦ୍ୱିତୀୟ ଲହର ବେଳେ ସାରା ଦେଶ ଯେଉଁ ସାଙ୍ଘାତିକ ସ୍ଥିତି ଦେଇ ଗତି କରିଥିଲା, ତାହା ପୁଣି ଥରେ ଯେପରି ନଉପୁଜୁ ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟଗୁଡିକ ଆଗୁଆ ପ୍ରସ୍ତୁତ ହୋଇଛନ୍ତି।

ଏହି ମକଡ୍ରିଲରେ ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କୋଭିଡ୍ ମୁକାବିଲା ପାଇଁ ଆଇସୋଲେସନ୍ ବେଡ୍, ଆଇସିୟୁ, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟରର ତଥ୍ୟ ଦେବେ ଜିଲ୍ଲା ପ୍ରଶାସନ। କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପ୍ଲୋଡ୍ ହେବ ଏସବୁ ତଥ୍ୟ। ଯଦି ସଂକ୍ରମଣ ବଢ଼େ, ତାହେଲେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ, ଏନେଇ ଏଥିରେ ଆକଳନ କରାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହି ସାରିଛନ୍ତି ଯେ, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ। ଅନ୍ୟପଟେ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦିଆଯାଉଛି। ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ମଧ୍ୟ ଅନୁମତି ମିଳିସାରିଛି। ମାସ୍କ ପିନ୍ଧିବା, ଭିଡ ସ୍ଥାନରୁ ଦୂରେଇ ରହିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ସତର୍କତା ପାଳନ ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି।

ଚୀନ୍‌ରେ କରୋନାର ତାଣ୍ଡବ ଜାରି ରହିଛି। ଏଠାରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି। ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏଫ୍‌.୭ ଏଠାରେ ଲୋକଙ୍କୁ ବହୁ ପରିମାଣରେ ସଂକ୍ରମିତ କରୁଛି। ଭାରତରେ ମଧ୍ୟ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଲାଣି। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Related Posts