CAPF ପରୀକ୍ଷାରେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ପ୍ରଶ୍ନ, ବିଜେପି-ୟୁପିଏସ୍‌ସିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ(UPSC) ଅଧିନରେ ହେଉଥିବା ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତ ୮ ଅଗଷ୍ଟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷା ସମୟରେ ୟୁପିଏସସି “ରାଜନୈତିକ ଉଦ୍ଦେଶ୍ୟ ନିହିତ ” ପ୍ରଶ୍ନ ପଚାରିଛି। ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଆରମ୍ଭ ହୋଇଥିବା “ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସା” ଉପରେ ଏକ ରିପୋର୍ଟ ଲେଖିବାକୁ କୁହାଯାଇଥିଲା। ପରୀକ୍ଷାରେ ବେଙ୍ଗଲ ନିର୍ବାଚନୀ ହିଂସା ସମ୍ପର୍କରେ ୨୦୦ ଶବ୍ଦରେ ଲେଖିବାକୁ ଦିଆଯାଇଥିଲା । ଏହି ପ୍ରଶ୍ନକୁ ନେଇ ମମତା ବିଜେପି ଉପରେ ବର୍ଷିଛନ୍ତି ।

ଏନଡିଟିଭି ରିପୋର୍ଟ ଅନୁଯାୟୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ୟୁପିଏସସି ବିଜେପିର ପ୍ରଶ୍ନ ପଚାରୁଛି। “ୟୁପିଏସସି ଏକ ନିରପେକ୍ଷ ସଂସ୍ଥା ଥିଲା କିନ୍ତୁ ବିଜେପି ଏବେ ଏହାକୁ ପରୀକ୍ଷାରେ ପଚାରିବାକୁ ପ୍ରଶ୍ନ ଦେଉଛି। ଏପରିକି କୃଷକଙ୍କ ଆନ୍ଦୋଳନକୁ ନେଇ ୟୁପିଏସସି ପେପରର ପ୍ରଶ୍ନ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିଲା ବୋଲି ସେ କହିଛନ୍ତି । ” ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ବିପୁଳ ଜନାଦେଶ ପାଇ କ୍ଷମତାକୁ ଫେରିଥିଲା । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ହୋଇଥିବା ହିଂସାକାଣ୍ଡରେ ଉଭୟ ଶାସକ ଟିଏମସି ଏବଂ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ ୧୧ ରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କୁ ଯୌନ ନିର୍ଯାତନା ବିଷୟରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଜୁନ୍ ୧୮ ରେ, ହାଇକୋର୍ଟ ଜାତୀୟ ମାନବ ଅଧିକାର ଆୟୋଗକୁ ହିଂସା ସହ ଜଡିତ ଅଭିଯୋଗର ଯାଞ୍ଚ ପାଇଁ ସାତଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଏହି ମାମଲା ପରିଚାଳନାକୁ କୋର୍ଟ ବାରମ୍ବାର ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ଯେ ଏହି କମିଟି ରାଜନୈତିକ ଉଦ୍ଦେଶ୍ୟରେ ଗଠନ କରାଯାଇଛି। ସରକାର କୋର୍ଟଙ୍କୁ କହିଛନ୍ତି ଯେ କମିଟିର ସଦସ୍ୟମାନେ ବିଜେପି ସହ ଜଡିତ ଅଛନ୍ତି କିମ୍ବା କେନ୍ଦ୍ର ସରକାରଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ , “ଆମେ ଦେଖିଛୁ ଯେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୁଚ୍ଛ ବିହାର ଏବଂ ସୀତାଲୁଚିରେ ଲୋକଙ୍କୁ ହତ୍ୟା କରିବା ପାଇଁ CAPF କିପରି ବ୍ୟବହୃତ ହୋଇଥିଲା। ଏପ୍ରିଲ ୧୦ ରେ, ସ୍ଥାନୀୟ ଲୋକଙ୍କ ସହ ସଂଘର୍ଷ ପରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ସମୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏକ ମତଦାନ ବୁଥରେ ଗୁଳି ଚଳାଇବା ପରେ କୁଚ୍ଛ ବିହାରର ସୀତାଲୁଚିରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

Related Posts