
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ” ଅମ୍ଲଜାନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ” ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତିକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ନେଇ ରିପୋର୍ଟ ମାନ ସାମ୍ନାକୁ ଆସିଲା ।
ବିରୋଧୀ ମଧ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କଲେ। ଶେଷରେ ମୋଦୀ ସରକାର ପଛଘୁଞ୍ଚା ଦେଇଛନ୍ତି। କେଉଁ ରାଜ୍ୟରେ ଅମ୍ଲଜାନ ଅଭାବ କାରଣରୁ କେତେ ମୃତ୍ୟୁ ହୋଇଛି ତାହାର ହିସାବ ଦେବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ 13 ରେ ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ସୂଚନା ସଂଗ୍ରହ କରାଯାଇ ସଂସଦରେ ଉପସ୍ଥାପନ କରାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି।
ଚଳିତ ବର୍ଷ ପ୍ରାରମ୍ଭରେ ସମଗ୍ର ଭାରତରେ ସଂକ୍ରମଣର ବୃଦ୍ଧି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଏକ ବଡ଼ ଚାପ ସୃଷ୍ଟି କରିଥିଲା। ଡାକ୍ତରଖାନା ବେଡ୍ , ଔଷଧ ଏବଂ ଟିକା ଭଳି ଅତ୍ୟାବଶ୍ୟକିୟ ସାମଗ୍ରୀର ଗୁରୁତର ଅଭାବ ଦେଖାଦେଇଥିଲା । ସବୁଠାରୁ ଭୟଙ୍କର ଥିଲା ମେଡିକାଲ ଅମ୍ଳଜାନର ଅଭାବ । ଅମ୍ଳଜାନ ଏପରି ଅଭାବ ଥିଲା ଯେ ଜରୁରୀକାଳୀନ ଭିତ୍ତିରେ ଭାରତକୁ ଅନେକ ଦେଶରୁ ଆମଦାନୀ କରିବାକୁ ପଡୁଥିଲା। ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ।
ଗୋଆରେ ମେ ମାସରେ ପାଞ୍ଚ ଦିନ ମଧ୍ୟରେ ଏକ ସରକାରୀ ଚିକିତ୍ସାଳୟରେ 80 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଅମ୍ଳଜାନ ଯୋଗାଣ ବ୍ୟାହତ ହେବା ପରେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା 11 ଜଣ କୋଭିଡ ରୋଗୀ ପ୍ରାଣ ହରାଇଥିଲେ। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଦୁଇ ଘଣ୍ଟା ଯୋଗାଣ ସମୟରେ ସରକାରୀ ଡାକ୍ତରଖାନାରେ ୭ ଜଣଙ୍କର ମୃତ୍ୟୁ ଘଟି ଥିଲା ।
ଅମ୍ଳଜାନ ବଣ୍ଟନ ଉପରେ ଅନେକ ରାଜ୍ୟ କୋର୍ଟକୁ ଯାଇଥିବାବେଳେ ଯୋଗାଣ ନିଶ୍ଚିତ କରିବାକୁ ସରକାର ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ। ଗତ ମାସରେ ଅମ୍ଳଜାନ ଯୋଗାଣ ଅଭାବରୁ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ମଧ୍ୟ ଭିଟୋ କରିଥିଲା। ଦିଲ୍ଲୀର ଏକ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ହେତୁ 21 ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି।
ତେବେ, ଏହି ସମସ୍ତ ଘଟଣା ସତ୍ତ୍ବେ, କେନ୍ଦ୍ର ସରକାର ଏହି ମୌସୁମୀ ଅଧିବେଶନରେ ସଂସଦକୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଶେଷ କରି ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇନାହିଁ। ସରକାର କହିଛନ୍ତି ଯେ ଏହି ଦିଗରେ ରାଜ୍ୟମାନେ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି।
ସ୍ୱାସ୍ଥ୍ୟ ଏକ ରାଜ୍ୟ ବିଷୟ ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକ ନିୟମିତ ଭାବେ କେନ୍ଦ୍ରକୁ ନମ୍ବର ରିପୋର୍ଟ କରନ୍ତି । ରାଜ୍ୟସଭାକୁ ଏକ ଲିଖିତ ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏହି ସୂଚନା ଦେଇଛନ୍ତି।
କଂଗ୍ରେସ ନେତା କେ.ସି ଭେନୁଗୋପାଲ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ଏହା ଏକ ଅନ୍ଧ ସରକାର। ଅମ୍ଳଜାନ ଅଭାବରୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ଲୋକମାନେ ଦେଖିଛନ୍ତି।”