୩ବର୍ଷରେ ଓଡିଶାରୁ ୩୨୭୬ ଶିଶୁ ନିଖୋଜ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ସୁରକ୍ଷିତ ନୁହଁନ୍ତି କୁନିପିଲା । ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତରରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ଅଥ;ାତ ମାତ୍ର ତିନି ମାସ ଭିତରେ ଓଡିଶାରେ ମୋଟ ୬୦୨ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଯାଇଥିବା ଏହି ଉତ୍ତରରେ କୁହାଯାଇଛି । ତେବେ ନିଖୋଜ ପିଲାଙ୍କ ଭିତରେ ୫୦୨ ଜଣ ନାବାଳିକା ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ମାତ୍ର ୭୯ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ ।

୨୦୧୬ରୁ ୨୦୧୯ ମାର୍ଚ୍ଚ ଭିତରେ ୬୨୮ ନାବାଳକ ନିଖୋଜ ହୋଇଥିବା ବେଳେ ୨୬୫୮ ନାବାଳିକାଙ୍କ ଖୋଜ୍ ଖବର ମିଳିନି । ବଡକଥା ହେଉଛି ଗତ ତିନି ମାସର ରିପୋର୍ଟ ହେଉ କି ତିନିବର୍ଷର, ନିଖୋଜ ଶିଶୁଙ୍କ ତାଲିକାରେ ନାବାଳିକାଙ୍କ ସଂଖ୍ୟା ଉପରେ ରହିଛି । ତେବେ ଏତେ ସଂଖ୍ୟକ ଶିଶୁ କେଉଁଆଡେ ଗାୟବ ହେଉଛନ୍ତି ସେନେଇ କାହାରି ପାଖରେ ଉତ୍ତର ନାହିଁ ।

ଏହି ପରିସଂଖ୍ୟାନକୁ ଦେଖିଲେ ଲାଗୁଛି ଯେମିତି ପ୍ରତିଦିନ ପିଲା ନିଖୋଜ ହେଉଛନ୍ତି । ଖାସ କରି ନାବାଳିକାମାନେ । କଣ ପାଇଁ ଓ କିଏ ଏହି ଶିଶୁମାନଙ୍କୁ ନେଇ ଯାଉଛି ସେନେଇ କେହି କିଛି ଜାଣି ନାହାଁନ୍ତି । ୩୨୭୬ କୁନି ପିଲା ଗାୟବ ହୋଇଗଲେ ଅଥଚ ଏହାର ସନ୍ଧାନ ମିଳିଲା ନାହିଁ । ନିଖୋଜ ପିଲାଏ କେଉଁଠି କିଭଳି ଅବସ୍ଥାରେ ଥିବେ ତାହା ଅନୁମାନ କରିବା ବି କଷ୍ଟକର । ଏପରିକି ସେମାନେ ଜୀବିତ ଅଛନ୍ତି କି ନାହିଁ ତାହା ବି କହିବା ମୁସ୍କିଲ । ସରକାରୀ ତଥ୍ୟ ଏବେ ଅଭିଭାବକମାନଙ୍କର ନିଦ ହଜାଇ ଦେଇଛି ।

Related Posts