ୟୁକ୍ରେନ ସହ ଋଷର ଯୁଦ୍ଧକୁ ନେଇ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇଲେ ଶହଶହ ଋଷ ନାଗରିକ

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ସମଗ୍ର ଦେଶକୁ ଚିନ୍ତାରେ ପକାଇଦେଇଛି | ସାରା ବିଶ୍ୱ ଏନେଇ ଚିନ୍ତା ପ୍ରକଟ କରିଛନ୍ତି | ଶାନ୍ତି ତଥା କୂଟନୈତିକ ଉପରେ ଶାନ୍ତି ଫେରାଇଆଣିବା ପାଇଁ ସମସ୍ତେ ରୁଷ କୁ ନିବେଦନ କରିଥିବା ବେଳେ, ଏବେ ନିଜ ଦେଶର ନାଗରିକ ମଧ୍ୟ ଯୁଦ୍ଧ କୁ ଏଡ଼ାଇବା ପାଇଁ ସ୍ୱର ଉତୋଳନ କରିଛନ୍ତି | ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ ନାରା ଦେଇଛନ୍ତି ଶହ ଶହ ନାଗରିକ | ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରିଛନ୍ତି ଶହଶହ ଋଷ ନାଗରିକ । ହେଲେ ଏମାନଙ୍କୁ ଗିରଫ କରିବା ସହ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇବାକୁ ତାଗିତ କରିଛନ୍ତି ଏଠିକାର ପ୍ରଶାସନିକ ଅଧିକାରୀ ।

ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ଋଷ ସେନା ଦାବି କରିଛି ଯେ, ୟୁକ୍ରେନର ୮୩ଟି ସେନା ଆଡ୍ଡାକୁ ଧ୍ୱଂସ କରିବା ସହ ୧୧ଟି ଏୟାରବେସକୁୁ ମଧ୍ୟ କ୍ଷତିଗ୍ରସ୍ତ କରିପକାଇଛି ଋଷ ସେନା । ପ୍ରଥମ ଦିନର ଆକ୍ରମଣକୁ ସଫଳ ବୋଲି କହିଛି ଋଷ ସେନା । ଏହି ଆକ୍ରମଣ ଦ୍ୱାରା ୧୩୭ ଜଣଙ୍କ ଜୀବନ ଯାଇଥିବା ୟୁକ୍ରେନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି | ଅନ୍ୟପଟେ ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଇଛି । ନାଟୋର ସମସ୍ତ ରାଷ୍ଟ୍ର ଋଷ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । କେବଳ ଏତିକି ନୁହେଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିରୋଧର ସ୍ୱର ଉଠାଇଛନ୍ତି ନିଜ ଦେଶର ନାଗରିକ । ରାଜଧାନୀ ମସ୍କୋରେ ଶହଶହ ସଂଖ୍ୟାରେ ପ୍ରଦର୍ଶନକାରୀ ଏକଜୁଟ ହୋଇ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରିଥିଲେ । ଏବଂ ପୁଟିନଙ୍କ ବିରୋଧରେ ମଧ୍ୟ ନାରା ଲଗାଇଥିଲେ । ଫଳରେ ପୋଲିସ ପାଖାପାଖି ୧୭୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିନେଇଛି ।

ଅନ୍ୟପଟେ ଭାରତ ମଧ୍ୟ ଶାନ୍ତି ବଜାଇ ରଖିବା ପାଇଁ ନିବେଦନ କରିଛି | ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ପୁଟିନଙ୍କ ସହ ପ୍ରାୟ ୨୫ ମିନିଟ୍ କାଳ କଥା ହୋଇଛନ୍ତି ମୋଦି | ଯୁଦ୍ଧ ସବୁ ସମସ୍ୟାର ବାଟ ନୁହେଁ, ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବା ପାଇଁ ମୋଦି ପୁଟିନ ଙ୍କୁ କହିଛନ୍ତି | ଏହା ସହ ହିଂସାର ପଥ ଛାଡିବାକୁ ପୁଟିନଙ୍କୁ ଅପିଲ କରିଛନ୍ତି ମୋଦି । ରୁଷିଆ ଓ ନାଟୋ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆଲୋଚନା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି। ଏଥିସହ ସେ ସବୁ ପକ୍ଷଙ୍କୁ କୁଟନୀତିକ ବୁଝାମଣା ଓ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି।

Related Posts