ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ନେଇ ଭାରତର ଆଭିମୁଖ୍ୟ ଏପରେ ସମସ୍ତ ଙ୍କ ନଜର ଥିବା ବେଳେ, ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ପୁଟିନଙ୍କ ସହ ପ୍ରାୟ ୨୫ ମିନିଟ୍ କାଳ କଥା ହୋଇଛନ୍ତି ମୋଦି | ଯୁଦ୍ଧ ସବୁ ସମସ୍ୟାର ବାଟ ନୁହେଁ, ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବା ପାଇଁ ମୋଦି ପୁଟିନ ଙ୍କୁ କହିଛନ୍ତି | ଏହା ସହ ହିଂସାର ପଥ ଛାଡିବାକୁ ପୁଟିନଙ୍କୁ ଅପିଲ କରିଛନ୍ତି ମୋଦି । ରୁଷିଆ ଓ ନାଟୋ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆଲୋଚନା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି। ଏଥିସହ ସେ ସବୁ ପକ୍ଷଙ୍କୁ କୁଟନୀତିକ ବୁଝାମଣା ଓ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି।
ତେବେ ସବୁଠାରୁ ବଡ କଥା ହେଉଛି ଯୁଦ୍ଧ ରୋକିବାକୁ ପୁଟିନଙ୍କୁ ଅନୁରୋଧ କରିଛନ୍ତି ମୋଦି । ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗ ବି ଆଲୋଚନା ସମୟରେ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପୂର୍ବରୁ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଯୋଜନା ହେଉଥିବା ଖବର ଆସିଥିଲା । ଏଥିସହ ଭାରତୀୟଙ୍କ ସୁରକ୍ଷିତ ଫେରାଇ ଆଣିବାକୁ ରୁଷ ପ୍ରତିଶ୍ରୁତିବଦ୍ଧ ବୋଲି ପୁଟିନ ଫୋନ ଯୋଗେ ମୋଦିଙ୍କୁ କହିଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ପୋଲାଣ୍ଡ ରାସ୍ତା ଦେଇ ଭାରତୀୟ ମାନଙ୍କୁ ଅଣାଯିବ । ତେବେ ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ । ରୋମାନିଆ ଓ ସ୍ଲୋଭାକିଆ ରାସ୍ତା ଦେଇ ମଧ୍ୟ ଭାରତୀୟଙ୍କୁ ୟୁକ୍ରେନ ସୀମାରୁ ଉଦ୍ଧାର କରାଯିବ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ କରି ସୂଚନା ଦେଇଛି ।
ମୋଦି ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ ପୁଟିନଙ୍କ ଆଗରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କେମିତି ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ, ସେଥିପାଇଁ ଭାରତ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ମୋଦି କହିଛନ୍ତି। ଆଞ୍ଚଳିକ ସ୍ୱାର୍ଥ ପ୍ରସଙ୍ଗରେ ଉଭୟ ଦେଶର କୁଟନୀତିକ ଟିମ୍ ନିୟମିତ ଯୋଗାଯୋଗରେ ରହିବେ ବୋଲି ଉଭୟ ମୋଦି ଓ ପୁଟିନ ରାଜି ହୋଇଥିବା ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ଜନିତ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଭାରତର ଆଭିମୁଖ୍ୟ କ’ଣ ରହିବ ସେ ବାଦରେ ଆଲୋଚନା ହୋଇଛି।
ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ କ୍ୟାବିନେଟ ସଚିବ ପ୍ରମୁଖ ସାମିଲ ହୋଇଥିଲେ। ଏହି ବୈଠକ ପରେ ହିଁ ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇଥିଲେ। ପୁଟିନଙ୍କ ସହ କଥା ହୋଇ ଯୁଦ୍ଧ ବିପଦ ଟାଳିବାକୁ ୟୁକ୍ରେନ ମଧ୍ୟ ମୋଦିଙ୍କୁ ଅନୁରୋଧ କରିଥିଲା।
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଆମେରିକା ଓ ରୁଷ ସହ ଆଲୋଚନା କରିଛନ୍ତି। ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିନକେନ୍ ରୁଷର ପୂର୍ବ ନିର୍ଦ୍ଧାରିତ, ଅନ୍ୟାୟୋଚିତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଜୟଶଙ୍କର ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଆପୋଷ ବୁଝାମଣା ଓ କୂଟନୀତିକସ୍ତରରେ ବିବାଦର ସାମାଧାନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ୟୁକ୍ରେନରେ ଫସି ରହିଥିବା ଭାରତୀୟ ମାନଙ୍କୁ ଆଣିବା ପାଇଁ ରୋମାନିଆ, ହଙ୍ଗେରୀ ଓ ସ୍ଲୋଭାକିଆ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି।
