କଲେଜ ଓ ୟୁନିଭରସିଟି ବିବାଦ ଯୋଗୁଁ ଦୀର୍ଘ ୪ ବର୍ଷ ହେବ ପିଜି ପରୀକ୍ଷାରୁ ବଞ୍ଚିତ ଶହ ଶହ ଛାତ୍ରଛାତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଲେଜ ଓ ୟୁନିଭରସିଟି ମଧ୍ୟରେ ଗୁପ୍ତ ବିବାଦ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଦେଢ଼ ଶହରୁ ଅଧିକ ଛାତ୍ରଛାତ୍ରୀ। ଦୀର୍ଘ ୪ ବର୍ଷ ହେଲାଣି ଏମାନେ ପିଜି ପରୀକ୍ଷା ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ରେଜଲ୍ଟ ପ୍ରକାଶ ପାଇ ନାହିଁ। ପିଜି ପାସ୍ କରି ଉଚ୍ଚଶିକ୍ଷା ଲାଭ କରିବାକୁ ସ୍ବପ୍ନ ଦେଖିଥିବା ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ କାଳ କୋଠରୀରେ। ୪ ବର୍ଷ ହେଲାଣି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ କଲେଜକୁ ଦୌଡ଼ିଦୌଡ଼ି ଏବେ ‌ନିରାଶ । ଭବିଷ୍ୟତ ଅନ୍ଧାର ହେବାକୁ ଯାଉଥିବାରୁ ଚରମ ନିଷ୍ପତ୍ତି ନେଵାକୁ ଚେତାବନୀ ଦେଇଛନ୍ତି ଏହି ୧୫୦ ଜଣ ଛାତ୍ରଛାତ୍ରୀ। କଲେଜ କର୍ତ୍ତୃପକ୍ଷ ପରୀକ୍ଷା ନକଲେ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ଆଶ୍ବସନା ଦେବା ପରିବର୍ତ୍ତେ ସେମାନଙ୍କୁ ଚୁପ ରହିବାକୁ ଚାପ ପକାଯାଉଥିବା ନେଇ ଉକ୍ତ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଯାଜପୁର ଜିଲ୍ଲାର ଚିତାଳୋ ମହାବିଦ୍ୟାଳୟରେ ୨୦୧୭-୧୮ ଶିକ୍ଷା ବର୍ଷରେ ଓଡ଼ିଆ ଓ ପଦାର୍ଥ ବିଜ୍ଞାନ ବିଭାଗରେ ପିଜି ପାଇଁ ନାମ ଲେଖା ଆରମ୍ଭ ହୋଇଥିଲା। ଉଭୟ ବିଭାଗରେ ୩୨ ଟି ଲେଖାଏଁ ସିଟ୍ ଥିଲା। ୨୦୧୭-୧୮ ଶିକ୍ଷା ବର୍ଷରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । କିନ୍ତୁ ଆଜିକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଏତଦ୍ ବ୍ୟତୀତ ୨୦୧୮-୧୯ ଓ ୨୦୧୯-୨୦୨୦ ଶିକ୍ଷାବର୍ଷରେ ଶହେରୁ ଅଧିକ ପିଲା ପିଜି ପାଇଁ ଏହି କଲେଜରେ ନାମ ଲେଖାଇଥିଲେ। ସେମାନଙ୍କ ପରିସ୍ଥିତି ବି ସମାନ। ଫର୍ମ ଫିଲଅପ କରିବାର ୩ ବର୍ଷ ବିତିଗଲାଣି। କିନ୍ତୁ ଗୋଟିଏ ବି ସେମିଷ୍ଟାରର ପରୀକ୍ଷା ଦେଇନାହାନ୍ତି। ତେବେ ପରୀକ୍ଷା ନହେବାରୁ ସେମାନେ ବର୍ଷକ ପରେ କଲେଜ ଛାଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ପରୀକ୍ଷା ହେବାର ଆଶ୍ବାସନା ଦେଇ ଫି ଆଦାୟ କରି ନେଇ ଚାଲିଛନ୍ତି। ତେବେ ସମୟ ଗଡି ଚାଲିଛି କିନ୍ତୁ ପରୀକ୍ଷା ହେଉ ନଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଲେଜ ଏବଂ ୟୁନିଭରସିଟି ମଧ୍ୟରେ ଚାଲିଥିବା ଗୁପ୍ତ ବିବାଦ ଯୋଗୁଁ ଏହି ୧୫୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏ ବାବଦରେ କଲେଜ କର୍ତ୍ତୃପକ୍ଷଙ୍କ ଦାବି ହେଉଛି ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ପିଜି ଖୋଲିବାକୁ ଅନୁମତି ଦିଆଯାଇଥିଲା। ଏବଂ ଅନଲାଇନ ଫର୍ମପୂରଣ ପାଇଁ ବି ସୁଯୋଗ ଦେଇ ଚାଲିଛି। କିନ୍ତୁ ପରୀକ୍ଷା କରାଇବା ଦାୟିତ୍ବ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟର। କିନ୍ତୁ କେଉଁ କାରଣରୁ ଉତ୍କଳ ବିଶ୍ବ ବିଦ୍ୟାଳୟ କଲେଜକୁ ପିଜି ପରୀକ୍ଷା କରିବାକୁ ଅନୁମତି ଦେଉ ନାହାନ୍ତି ସେ ନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତିତ । କଲେଜ ପକ୍ଷରୁ ବିଶ୍ବ ବିଦ୍ୟାଳୟର କୁଳପତିଙ୍କୁ ଭେଟି ପରୀକ୍ଷା କରିବାକୁ ନିଦେବନ କରାଯାଉଥିବା ବେଳେ ୟୁନିଭରସିଟି ଏ ସମ୍ପର୍କରେ କୌଣସି ବି ପଦକ୍ଷେପ ନେଉ ନଥିବା କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମଲ୍ଲିକ କହିଛନ୍ତି।
ଅନ୍ୟ ପଟେ ଛାତ୍ରଛାତ୍ରୀମାନଙ୍କ କହିବା କଥା ହେଉଛି କଲେଜରେ ପାଠପଢ଼ା ପାଇଁ ପିଏଚଡି ଅଧ୍ୟାପକ ନାହାନ୍ତି କି ପ୍ରାକ୍ଟିକାଲ କରିବା ପାଇଁ ଆବଶ୍ୟକୀୟ ଲ୍ଯାବର ସୁବିଧା ମଧ୍ୟ ନାହିଁ। ଏହାକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ କଲେଜର ପିଜି ପରୀକ୍ଷାକୁ ଅନୁମତି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଚିତାଳୋ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନାମ ନେଇ ନ୍ଯାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଦୀର୍ଘ ୪ ବର୍ଷ ହେଲାଣି ପିଜି ପାଠ୍ୟକ୍ରମକୁ ନେଇ ଯଦି ସମସ୍ୟା ରହିଛି ତ‌େବେ କଲେଜ କର୍ତ୍ତୃପକ୍ଷ କାହିଁକି ଏହାକୁ ବନ୍ଦ କରି ଦେଉନାହାନ୍ତି ? ପୂର୍ବ ବର୍ଷର ପିଲାମାନଙ୍କର ପରୀକ୍ଷା ହୋଇନଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ଉଭୟ ବିଭାଗରେ ୩୨ଟି ଲେଖାଏଁ ସିଟରେ ପିଲାମାନେ ନାମ ଲେଖାଇ ସାରିଛନ୍ତି। ଗୋଟିଏ ପଟେ କଲେଜ କର୍ତ୍ତୃପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦୋଷ ଦେଉଛନ୍ତି ଅପର ପକ୍ଷରେ ବିଶ୍ୱ ବିଦ୍ୟାଳୟ କୁଳପତି ମଧ୍ୟ କଲେଜରେ ପାଠପଢ଼ା ଉପଯୋଗୀ ପରିବେଶ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବାରୁ ପରୀକ୍ଷା କରାଇବାକୁ ଅନୁମତି ଦେବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି। ୟୁନିଭରସିଟି ଓ କଲେଜର ଦୋଷ ଲଦାଲଦି ଭିତରେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ।
ଏହାର ପ୍ରତିବାଦରେ କିଛି ଛାତ୍ରୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘ ୪ ବର୍ଷ ଧରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ପରେ ଏବେ ଟିସି ନେଇଯିବାକୁ କହୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଶେଷରେ ଛାତ୍ର ଛାତ୍ରୀ ମନେ ନ୍ଯାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଯାଜପୁର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ସରୋଜ କୁମାର ମହାପାତ୍ର କଲେଜକୁ ୭ ଦିନ ମଧ୍ୟରେ ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts