ବଢିଲା ଶୁଭେନ୍ଦୁ ଅଧିକାରୀଙ୍କ ଅଡୁଆ : ୩ ବର୍ଷ ପୂର୍ବେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ଏଫଆଇଆର ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ନେତା ତଥା ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡୁଆ ବଢିଲା। ଶୁକ୍ରବାର ଦିନ ଅଧିକାରୀଙ୍କ ବିରୋଧରେ କଟୋଇ ପୋଲିସ ଷ୍ଟେସନରେ ୩ ବର୍ଷ ପୁରୁଣା ଏକ ମାମଲାରେ ଏଫଆଇଆର ଦାୟର ହୋଇଛି । ମିଳିଥିବା ସୂଚନା ଅନୁସାରେ, ଏହି ମାମଲାଟି ତାଙ୍କର ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ସହ ଜଡିତ। ୩ ବର୍ଷ ପୂର୍ବେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବେଙ୍ଗଲ ପୋଲିସ କନଷ୍ଟେବଳ ସୁବ୍ରତ ଚକ୍ରବର୍ତ୍ତୀଙ୍କ ପତ୍ନୀ ସୁପର୍ଣ୍ଣା ଚକ୍ରବର୍ତ୍ତୀ ଆଇପିସିର ଧାରା ୩୦୨ ଓ ୧୨୦ ଧାରା ଅନୁସାରେ ଏଫଆଇଆର ରୁଜୁ କରିଛନ୍ତି।

ସୁରକ୍ଷାକର୍ମୀ ନିଜେ ଗୁଳି ଚଳାଇଥିଲେ :-

ଶୁଭେନ୍ଦୁଙ୍କ ସିକ୍ୟୁରିଟି ଗାର୍ଡ ଥିବା ସୁବ୍ରତ ୧୩ ଅକ୍ଟୋବର ୨୦୧୮ରେ ନିଜ ଭଡାଘରେ ଗୁଳିମାରି ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେତେବେଳେ ଟିଏମସିରେ ଥିଲେ ଓ ମମତା ବାନାର୍ଜୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ତାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ସୁବ୍ରତଙ୍କୁ ଆତ୍ମହତ୍ୟା କରିବାକୁ ଚାପ ପକାଇଥିଲେ। ନିକଟରେ ସୁବ୍ରତଙ୍କ ପତ୍ନୀ ଏହି ମାମଲାର ତଦନ୍ତ ପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ ମେ ୨୦୨୧ ରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଧିକାରୀ, ବିଜେପିରେ ଯୋଗ ଦେଇଥିଲେ। ଏହାପରେ ନିର୍ବାଚନରେ ସେ ନନ୍ଦିଗ୍ରାମ୍ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିଲେ। ତେବେ ରାଜ୍ୟ ବିଜେପିର ଅନେକ ନେତା ତାଙ୍କ ସହ ଖୁସି ନଥିବା କୁହାଯାଉଛି।
ନିକଟରେ ସୁମିତ୍ରା ଖାନ ବିଜେପିରୁ ଇସ୍ତଫା ଦେଇ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କିନ୍ତୁ କିଛି ସମୟ ପରେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ। ସେହିପରି ଗତ କିଛି ଦିନ ତଳେ ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଭେଟିବା ପରେ ଅଧିକାରୀଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଏହା ପରେ ଟିଏମସି ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ନାରଦା ମାମଲାରେ ଅଭିଯୁକ୍ତଙ୍କୁ ଭେଟୁଥିବା ଅଭିଯୋଗରେ ମେହଟାଙ୍କୁ ତାଙ୍କ ପଦରୁ ହଟାଇ ଦେବା ପାଇଁ ସେ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଭାବେ ନିଯୁକ୍ତ କରିଛି ।

Related Posts