ରାଜ୍ୟରେ ‘ମୋ ସରକାର’ ଯାଜପୁରରେ ସ୍ବାମୀ ସରକାର

ସାରା ରାଜ୍ୟରେ ‘ମୋ ସରକାର’ର ଡୁଙ୍ଗୁରା ପିଟା ଚାଲିଥିବା ବେଳେ ଯାଜପୁରରେ ଚାଲିଛି ସ୍ବାମୀ ସରକାର । ଏକଥା ଏଇଥିପାଇଁ କୁହାଯାଉଛି ଯେ ରାଜ୍ୟରେ ଯେଭଳି ମୋ ସରକାର ନାଁରେ ଆଇନକୁ ଦଳିମକଚି ମନଇଛା କାର୍ଯ୍ୟ କରାଯାଉଛି ସେହିଭଳି ଯାଜପୁରରେ ଲୋକ ପ୍ରତିନିଧିମାନଙ୍କ ସ୍ବାମୀ ଶାସନ କଳକୁ କଣ୍ଟ୍ରୋଲ କରି ଅପରାଧ କରିବାକୁ ବି ପଛାଉନାହାଁନ୍ତି । ଗୋଟିଏ ପଟେ ମୋ ସରକାରରେ 5-ଟି ନାଁରେ 5-ଟି ସଚିବ ଅଧିକାରୀଙ୍କ ଉପରେ ନିଜର ପତିଆରା ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି । ତତ୍କାଳ ପଦକ୍ଷେପ ନାଁରେ ପ୍ରାଥମିକ ତଦନ୍ତ କରାନଯାଇ ସରକାରୀ ଅଧିକାରୀଙ୍କ ଉପରେ ପଦକ୍ଷେପ ନିଆଯାଉଛି । ଅତ୍ୟଧିକ ଉତ୍ସାହ ନାଁରେ ସାରା ରାଜ୍ୟରେ ଏକ କୋକୁଆ ଭୟ ସୃଷ୍ଟି କରାଯାଉଛି । ଅନ୍ୟପଟେ ଯାଜପୁରରେ ନିଜ ସ୍ତ୍ରୀମାନଙ୍କୁ ଲୋକପ୍ରତିନିଧି କରାଇ ନିଜେ କ୍ଷମତାକୁ ଉପଭୋଗ କରିବା ସହ ଏହାର ଦୁରୁପୋଯୋଗ କରୁଛନ୍ତି ସ୍ବାମୀ । ଧର୍ମଶାଳା VLW ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗିରଫଦାରି ପରେ (ସ୍ବାମୀ ସରକାର)ର ପର୍ଦ୍ଦାଫାସ ହୋଇଛି । ସ୍ବିତାରାଣୀଙ୍କ ମୃତ୍ୟୁ ଘଟଣାର 48 ଘଣ୍ଟା ପରେ ରୂପେଶ ଗିରଫ ହେବା ଜିଲ୍ଲା ରାଜନୀତିରେ ତାଙ୍କର ପ୍ରଭାବକୁ ଦର୍ଶାଉଛି । ଜଣେ ସାଧାରଣ ଠିକାଦାର ହୋଇ କିଭଳି ଏତେ କ୍ଷମତା ଉପଭୋଗ କରୁଥିଲେ ରୂପେଶ ତାକୁ ନେଇ ଉଠିଛି ପ୍ରଶ୍ନ । ସ୍ତ୍ରୀଙ୍କୁ ସରପଞ୍ଚ କରି ସମସ୍ତ କ୍ଷମତାର ଦୁରୁପଯୋଗ କରି ରୂପେଶ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେହିଭଳି ବରୀ ବିଧାନସଭା କ୍ଷେତ୍ରରେ ଏଥର ପ୍ରଥମ କରି ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କ ସ୍ବାମୀଙ୍କ ବିରୋଧରେ ବି ସଙ୍ଗୀନ ଅଭିଯୋଗ ଆସିଛି । କୁହାଯାଉଛି ବରୀର ବିଧାୟକ ସୁନନ୍ଦା ନୁହଁନ୍ତି ବିଧାୟକ ହେଉଛନ୍ତି ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଓରଫ ଦେବୁଲି । ତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହେଉନି । ତାଙ୍କୁ ସୁହାଇଲା ଭଳି କାର୍ଯ୍ୟ ନକଲେ ଧମକ ଚମକ ମଧ୍ୟ ଦେଉଛନ୍ତି ଦେବୁଲି ଦାସ । ନିକଟରେ ବରୀ ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକୁ ହତ୍ୟା ଧମକ ଦେଇଛନ୍ତି ସୁନନ୍ଦଙ୍କ ସ୍ବାମୀ ଦେବୁଲି । ଏନେଇ ରଞ୍ଜନଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲା ଦେବାର 3 ଦିନ ବିତିଯାଇଥିଲେ ବି ପୋଲିସ ମାମଲା ରୁଜୁ କରିନାହିଁ । ଏତଲା ରଞ୍ଜନ ଅଭିଯୋଗ କରିଛନ୍ତି ଯେ ଅକ୍ଟୋର 9 ତାରିଖରେ ସେ ଜଣେ ସାକ୍ଷୀଙ୍କୁ ନେଇ ରାମଚନ୍ଦ୍ରପୁର ଥାନା ଯାଉଥିଲେ । ବାଟରେ ବିଧାୟିକାଙ୍କ ସ୍ବାମୀ ଦେବୁଲି ଦାସ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଲେ । କାରଣ ଥିଲା ନିର୍ବାଚନ ସମୟରେ ବିଜେଡିର ବ୍ୟାନର ଛିଡ଼ାଇବା ଘଟଣା । ସେତେବେଳେ ଡ୍ୟୁଟିରେ ଥିବାବେଳେ ମାଜିଷ୍ଟ୍ରେଟଙ୍କ ଆଦେଶ କ୍ରମେ ବିଜେଡିର ବ୍ୟାନର ଛିଡାଇଥିଲେ ରଞ୍ଜନ । କିନ୍ତୁ ଦେବୁଲି ବାବୁ ଦଳୀୟ ବ୍ୟାନ ଛିଡାଇଥିଲୁ କାହିଁକି ବୋଲି କହି ରଞ୍ଜନଙ୍କୁ ହତ୍ୟା ଧମକ ଦେଇଥିଲେ । ଏସବୁ ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହୋମଗାର୍ଡ ରଞ୍ଜନ ଏତଲା ଦେବାର 3 ଦିନ ହୋଇଥିଲେ ବି ବିଧାୟିକାଙ୍କ ସ୍ବାମୀଙ୍କ ବିରୋଧରେ ବରୀ ରାମଚନ୍ଦ୍ର ପୋଲିସ ମାମଲା ରୁଜୁ ନକରିବା ତାଙ୍କର କ୍ଷମତା ଏବଂ ପ୍ରଭାବକୁ ଦର୍ଶାଉଛି । ତାଙ୍କୁ ସୁହାଇଲା ଭଳି ଯଦି କେହି କାମ ନକରୁଛି ବା ଯଦି କାହା କାମ ସ୍ବାମୀ ବାବୁଙ୍କୁ ପସନ୍ଦ ଆସୁନି ତେବେ ସେମାନେ ହତ୍ୟା ଧମକ ଦେବା କିମ୍ବା ହତ୍ୟାକାଣ୍ଡ ଘଟଇବାକୁ ପଛାଉନାହାନ୍ତି । ଏସବୁ ଘଟଣାକୁ ଦେଖିଲେ ଲାଗୁଛି ଯେଭଳି ଯାଜପୁର ଜିଲ୍ଲାରେ ଏବେ ସ୍ବାମୀ ସରକାର ଚାଲିଛି ।

Related Posts