(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ତଥାକଥିତ ସୁପ୍ରିମକୋର୍ଟଙ୍କ ଅକ୍ସିଜେନ ଅଡିଟ୍ ରିପୋର୍ଟକୁ ନେଇ ଆଜି ଦିନ ତମାମ ବିଜେପି ଓ ଅମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ରାଜନୀତି ଦେଖିବାକୁ ମିଳିଛି । ତଥାକଥିତ ଏହି ଅଡିଟ୍ ରିପୋର୍ଟରେ କୋଭିଡ୍ ର ଦ୍ବିତୀୟ ଲହର ସମୟରେ ସଂକ୍ରମଣ ପିକ୍ ରେ ଥିବା ବେଳେ ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମାଗିଥିବା ନେଇ ବିଜେପି ଅଭିଯୋଗ କରିଛି। ବିଜେପି ଏବଂ ଆପ୍ ବାକ୍ ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ତାଙ୍କର ଏକମାତ୍ର ଅପରାଧ ହେଉଛି ଯେ ସେ ଦିଲ୍ଲୀର ୨ କୋଟି ଜନତାଙ୍କ ଶ୍ୱାସ ପାଇଁ ମୁଁ ଲଢ଼ିଥିଲି। ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କେଜରିୱାଲ କହିଛନ୍ତି ,” ତୁମେ ଯେତେବେଳେ ନିର୍ବାଚନ ରାଲିରେ ବ୍ୟସ୍ତ ଥିଲ, ମୁଁ ରାତିସାରା ଜାଗ୍ରତ ରହି ଅମ୍ଳଜାନ ବ୍ୟବସ୍ଥା କରୁଥିଲି । ଦିଲ୍ଲୀର ଜନତାଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ମୁଁ ଲଢେଇ କରିଥିଲି। କେଜରିୱାଲ ଭାରତୀୟ ଜନତା ପାର୍ଟିକୁ କଡା ଜବାବ ଦେଇ କହିଛନ୍ତି ଯେ ,“ଅମ୍ଳଜାନ ଅଭାବ ହେତୁ ଲୋକମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଦୟାକରି ସେମାନଙ୍କୁ ମିଥ୍ୟାବାଦୀ ବୋଲି କୁହ ନାହିଁ। ” ଭାରତୀୟ ଜନତା ପାର୍ଟିର ନେତାମାନେ ଅଭିଯୋଗ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ପ୍ୟାନେଲ ରିପୋର୍ଟ ଅନୁଯାୟୀ,ଦିଲ୍ଲୀରେ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ ଥିଲା, କିନ୍ତୁ ଦିଲ୍ଲୀ ସରକାର ୧୨୦୦ ମେଟ୍ରିକ୍ ଟନ ମାଗିଥିଲେ।
ଯେଉଁ କାରଣରୁ ଅନ୍ୟ ରାଜ୍ୟ ଗୁଡ଼ିକରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା। ତେବେ ବିଜେପି ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କହିଛନ୍ତି,” ବିଜେପି ଯେଉଁ ତଥାକଥିତ ଅମ୍ଳଜାନ ଅଡିଟ୍ ରିପୋର୍ଟ କଥା କହୁଛି ସେପରି କୌଣସି ରିପୋର୍ଟ ହିଁ ନାହିଁ। ଅମ୍ଳଜାନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଅମ୍ଳଜାନ ଅଡିଟ୍ କମିଟି ଗଠନ କରିଥିଲେ। ଆମେ ଏହି ଅମ୍ଳଜାନ ଅଡିଟ୍ କମିଟିର ଅନେକ ସଦସ୍ୟ ମାନଙ୍କ ସହ କଥା ହୋଇଥିଲୁ, ସେମାନେ କହିଛନ୍ତି ଯେ ସେମାନେ ଏମିତି କୌଣସି ରିପୋର୍ଟରେ ଦସ୍ତଖତ କରି ନାହାଁନ୍ତି। ଯେତେବେଳେ ଅମ୍ଳଜାନ ଅଡିଟ୍ କମିଟିର ସଦସ୍ୟମାନେ କୌଣସି ରିପୋର୍ଟରେ ଦସ୍ତଖତ କିମ୍ବା ଅନୁମୋଦନ କରିନାହାଁନ୍ତି, ତେବେ ଏହି ରିପୋର୍ଟ କେଉଁଠାରେ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ପ୍ରଶ୍ନ କରିଛନ୍ତି ? ” ସେ ଅଭିଯୋଗ କରିଛନ୍ତି ଯେ ବିଜେପି ହେଡ୍ କ୍ଵାଟରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଏବଂ ବିଜେପି ନେତା କପିଲ ମିଶ୍ରଙ୍କ ସମେତ ଅନେକ ବିଜେପି ନେତା ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କୁ ନିନ୍ଦା କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି। ଏହାକୁ ଏକ ଜଘନ୍ୟ ଅପରାଧ ବୋଲି କହି ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ରା କହିଛନ୍ତି ଯେ ,” ଏହି ରିପୋର୍ଟରେ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା ରାଜନୀତିର ଖୁଲାସା ହୋଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଏହା ଏକ ଘୃଣ୍ୟ ଅପରାଧ। ”