ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ : ପୁଅଙ୍କ ତୁଳନାରେ ଝିଅ ଆଗରେ , ପାସ୍ ହାର ୯୭.୮୯ ପ୍ରତିଶତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ମାଟ୍ରିକ ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ।କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା ହୋଇପାରି ନଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ଯୋଗେ ମୂଲ୍ୟାୟନ କରି ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍ କରିଥିବା ବେଳେ ୭ ହଜାର ୭୦୩ ଜଣ ପିଲା ଫେଲ ହୋଇଛନ୍ତି । ଏଥର ମାଟ୍ରିକ ପରୀକ୍ଷାରେ ପୁଅଙ୍କ ଆଗରେ ଅଛନ୍ତି ଝିଅ । ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍ କରିଛନ୍ତି । ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ , ୨୨,୧୩୧ ଜଣ A2, ୫୨, ୧୯୯ ଜଣ B1 ଓ ୯୪, ୪୭୫ ଜଣ B2 ଗ୍ରେଡ୍‌ ପାଇଛନ୍ତି। C ଗ୍ରେଡରେ ୧୩୭୧୪, D ଗ୍ରେଡରେ ୧୫୧୬୩୯, E ଗ୍ରେଡରେ ୧୧୭୯୬ ଓ F ଗ୍ରେଡରେ ୭୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ। ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପିଲା ପାସ୍ କରିଛନ୍ତି। ଆଜି ଅପରାହ୍ନରେ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟା ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ। ସେହିପରି SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ମୋବାଇଲ୍‌ରେ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ। ତେବେ ବୋର୍ଡ ସଭାପତି କହିଛନ୍ତି ଯେ ଯଦି ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବେ ତେବେ ସେମାନେ କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେଇ ପାରିବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ , କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରୀକ୍ଷା ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।

Related Posts