“ମୁଁ ଖୁସି ମତେ କ୍ଲିନ୍ ଚିଟ୍ ମିଳିଲା, ଶେଷରେ ସତ୍ୟର ବିଜୟ ହେଲା”: ମନୀଷ ସିସୋଦିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର ଖୋଳତାଡ଼ କରିଥିଲା ସିବିଆଇ। ହେଲେ ତାଙ୍କ ବ୍ୟାଙ୍କ ଲକରରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କିଛି ମିଳି ନାହିଁ । ଏନେଇ ମନୀଷ ଓ ତାଙ୍କ ପରିବାର ସିବିଆଇ ଠାରୁ କ୍ଲିନ୍‌ ଚିଟ୍‌ ପାଇସାରିଛନ୍ତି ବୋଲି ସିସୋଦିଆ ଗଣମାଧ୍ୟମକୂ ସୂଚନା ଦେଇଛନ୍ତି।

ସିବିଆଇର ୪ କର୍ମଚାରୀ ଆଜି ଦିଲ୍ଲୀର ଗାଜିଆବାଦ ବସୁନ୍ଧରା ସେକ୍ଟର ୪ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପହଞ୍ଚିଥିଲେ। ମନୀଷଙ୍କ ପୂରା ବ୍ୟାଙ୍କ ଲକର ଯାଞ୍ଚ କରିଥିଲେ। ଯେଉଁଥିରେ ସିବିଆଇକୁ କିଛି ମିଳିଲା ନାହିଁ। ଏନେଇ ସିସୋଦିଆ କହିଛନ୍ତି ‘ସିବିଆଇ ରେଡ୍‌ରେ ଯେପରି ମୋ ଘରେ କିଛି ମିଳିନଥିଲା, ସେପରି ମୋ ବ୍ୟାଙ୍କ ଲକରରେ ବି କିଛି ମିଳିଲା ନାହିଁ। ମୁଁ ଖୁସୀ ଯେ ମୋତେ କ୍ଲିନ୍‌ ଚିଟ୍‌ ମିଳିଲା। ସିବିଆଇ ଅଫିସରମାନେ ଆମ ସହ ଭଲ ବ୍ୟବହାର କରିଥିଲେ। ଆମେ ମଧ୍ୟ ସେମାନଙ୍କୁ ତାଙ୍କ କାମରେ ସହଯୋଗ କରୁଥିଲୁ। ଶେଷରେ ସତ୍ୟର ବିଜୟ ହେଲା।’

ସିସୋଦିଆ ଆହୁରି କହିଛନ୍ତି ‘ଜନ୍ମାଷ୍ଟମୀରେ ସିବିଆଇ ମୋ ଘରେ ଚଢ଼ାଉ କରିଥିଲା। ଅଗଷ୍ଟ ୧୯ ତାରିଖରେ ରେଡ୍ ସମୟରେ ଚାବିଗୁଡ଼ିକୁ ଜବତ କରିନେଇଥିଲା। ଆଜି ଲକର ଖୋଲି ଯାଞ୍ଚ କରିବାରୁ ସିବିଆଇକୁ କିଛି ମିଳି ନଥିଲା। କେବଳ ୭୦-୮୦ ହଜାର ଟଙ୍କାର ଅଳଙ୍କାର ମୋ ପତ୍ନୀଙ୍କ ଆକାଉଣ୍ଟରୁ ମିଳିଥିଲା। ସିବିଆଇ ଅଫିସରମାନେ ଆମର ଲକର ଓ ଡକ୍ୟୁମେଣ୍ଟ ଚେକ୍ କରିଥିଲେ। କିନ୍ତୁ ତଥାପି ବି ସେମାନେ ମୋତେ ଗିରଫ କରିପାରିନ୍ତି। କାରଣ ତାଙ୍କୁ ଉପରୁ ଅର୍ଡର ଅଛି।’

ସୂଚନାଯୋଗ୍ୟ ଯେ, ଆଜି ସିବିଆଇ ବ୍ୟାଙ୍କ ଲକର ଯାଞ୍ଚ କରୁଥିବା ସମୟରେ ସିସୋଦିଆ ତାଙ୍କ ପତ୍ନୀଙ୍କ ସହ ବ୍ୟାଙ୍କରେ ଉପସ୍ଥିତ ଥିଲେ। ତେବେ ସିବିଆଇ ଚଢ଼ାଉ ନେଇ ବିଜେପିକୁ ସମାଲୋଚନା କରିଥିଲେ ସିସୋଦିଆ। ସେ କହିଥିଲେ ‘ପ୍ରଧାନମନ୍ତ୍ରୀ ମୋ ଘରକୁ ସିବିଆଇ ଟିମ୍ ପଠାଇଥିଲେ। ଏବଂ ମୋ ଲକର ବି ଚେକ୍ କଲେ। ଏହା ହିଁ ପ୍ରମାଣ ଯେ ମୁଁ ଓ ମୋ ପରିବାର ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ। ତେଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ଅଛି ଯେ ମୋତେ ଦୁଇ-ତିନି ମାସ ପାଇଁ ଜେଲ୍ ପଠାଇ ଦେବେ। ମୁଁ ଖୁସୀ ଯେ ଆଜି କିଛି ମିଳିଲା ନାହିଁ ଏବଂ ସତ୍ୟାର ବିଜୟ ହୋଇଛି।’ ସୂଚନା ଥାଉକି ଅଗଷ୍ଟ ୧୯ ତାରିଖରେ ସିବିଆଇ ଦିଲ୍ଲୀରେ ଅବକାରୀ ଦୁର୍ନୀତି ଅଭିଯୋଗରେ ୩୧ ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ସିସୋଦିଆଙ୍କ ଘର ମଧ୍ୟ ସାମିଲ ରହିଥିଲା ।

Related Posts