‘ମୁଁ ମଧ୍ୟ ମର୍ସିଡିଜ୍ କାର କିଣିପାରିବି ନାହିଁ’; ମର୍ସିଡିଜ୍-ବେଞ୍ଜ୍ ଲଞ୍ଚ କରିବା ସମୟରେ କାରର ଦରକୁ ନେଇ ଏଭଳି କହିଲେ ନୀତିନ ଗଡକରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜର୍ମାନୀର ପ୍ରତିଷ୍ଠିତ ବିଳାସପୂର୍ଣ୍ଣ ଗାଡି ନିର୍ମାତା ମର୍ସିଡିଜ୍-ବେଞ୍ଜ୍ ଭାରତୀୟ ବଜାରରେ ଭାରତରେ ନିର୍ମିତ ପ୍ରଥମ ମର୍ସିଡିଜ୍-ବେଞ୍ଜ୍ ଇକ୍ୟୁଏସ ୫୮୦ ଇଲେକ୍ଟ୍ରିକ୍ ସେଲୁନ୍ କାର୍ ଲଞ୍ଚ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ଦିନ ଜର୍ମାନ ପ୍ରିମିୟମ କାର ନିର୍ମାତା ମର୍ସିଡିଜ-ବେଞ୍ଜକୁ ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ କାର ଉତ୍ପାଦନ କରିବାକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ପୁଣେରେ ଏହାର ଉଦଘାଟନୀ ସମାରୋହରେ ଯୋଗ ଦେଇ କହିଛନ୍ତି ଯେ, ଦେଶରେ ବୈଦ୍ୟୁତିକ ଯାନ ପାଇଁ ଏକ ବିଶାଳ ବଜାର ରହିଛି। ଯଦି ଆପଣ ଉତ୍ପାଦନ ବୃଦ୍ଧି କରନ୍ତି, ତେବେ ଏହାର ମୂଲ୍ୟ ହ୍ରାସ କରିବା ସମ୍ଭବ ହେବ। ଆମେ ମଧ୍ୟବିତ୍ତ ଲୋକ। ଭାରତରେ ମଧ୍ୟବିତ୍ତଙ୍କ ସଂଖ୍ୟା ଅଧିକ। ଏପରିକି ମୁଁ ମଧ୍ୟ ଆପଣଙ୍କ ଏହି ବିଳାସପୂର୍ଣ୍ଣ କାର କିଣି ପାରିବି ନାହିଁ ବୋଲି ଗଡକରୀ କହିଛନ୍ତି।

ମର୍ସିଡିଜ୍-ବେଞ୍ଜ୍ ଇଣ୍ଡିଆ ଅକ୍ଟୋବର ୨୦୨୦ରେ ଭାରତରେ ଏହାର ଇଲେକ୍ଟ୍ରୋ-ମୋବିଲିଟି ଡ୍ରାଇଭ୍ ଆରମ୍ଭ କରି ସମସ୍ତ ଇଲେକ୍ଟ୍ରିକ୍ ଏସୟୁଭି ଇକ୍ୟୁସିକୁ ୧.୦୭ କୋଟି ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଥିଲା। ତେବେ ମୋଟ ଇଭି ବିକ୍ରିରେ ୩୩୫ପ୍ରତିଶତ ଅଭିବୃଦ୍ଧି ସହିତ ଏକ ବିଶାଳ ବଜାର ଅଛି ବୋଲି ଦର୍ଶାଇ ନିତିନ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏକ୍ସପ୍ରେସ ରାଜପଥ ଆସିବା ସହିତ ମର୍ସିଡିଜ-ବେଞ୍ଜ କାରଗୁଡିକର ବିକ୍ରି ବଢ଼ିବ। ସେ କହିଛନ୍ତି ଯେ ଭାରତୀୟ ଅଟୋମୋବାଇଲର ଆକାର ବର୍ତ୍ତମାନ ୭.୮ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ରପ୍ତାନି ହେଉଛି ୩.୫ ଲକ୍ଷ କୋଟି। ଏବେ ଏହାକୁ ୧୫ଲକ୍ଷ କୋଟିର ଶିଳ୍ପ କରିବା ହେଉଛି ମୋର ସ୍ୱପ୍ନ ରହିଛି ବୋଲି ଗଡକରୀ କହିଛନ୍ତି।

Related Posts