ଗୁଜରାଟରେ ମୁଁ ପ୍ରଚାର କରି ନାହିଁ, ଯେହେତୁ ସେଠାକୁ ଯାଇ ନ ଥିଲି, ପରାଜୟ ବିଷୟରେ ମୁଁ କହିପାରିବି ନାହିଁ: ଶଶି ଥରୁର

ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ବହୁମତରେ ଭାଜପା ଗୁଜରାଟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ, କଂଗ୍ରେସର ଅବସ୍ଥା ଖରାପ ରହିଛି। କଂଗ୍ରେସ କେବଳ ୧୬ଟି ଆସନରେ ସୀମିତ ଥିବା ଜଣାପଡିଛି।

ସେପଟେ ଦଳର ଏପରି ପରାଜୟକୁ ନେଇ ବରିଷ୍ଠ ନେତା ଶଶି ଥରୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଗୁଜରାଟରେ କଂଗ୍ରେସର ସବୁଠାରୁ ଖରାପ ପ୍ରଦର୍ଶନ ଉପରେ ଶଶି ଥରୁର କହିଛନ୍ତି, ଗୁଜରାଟରେ ମୁଁ ପ୍ରଚାର କରି ନାହିଁ। ଯେହେତୁ ସେଠାକୁ ଯାଇ ନ ଥିଲି, ପରାଜୟ ବିଷୟରେ ମୁଁ କହିପାରିବି ନାହିଁ। ଏତିକି କହିବି ଏହା ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ।
ସୂଚନାଯୋଗ୍ୟ, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସର ତାରକା ପ୍ରଚାରକ ତାଲିକାରେ ଶଶି ଥରୁରଙ୍କ ନାମ ସାମିଲ ନ ଥିଲା। ଏଥି ସହିତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଦଳର ଏକ ଗୋଷ୍ଠୀ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା। ତେଣୁ ଗୁଜରାଟ ଏବଂ ହିମାଚଳ ନିର୍ବଚନରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ନ ଥିଲା।

ଗୁଜରାଟରେ ଭାଜପା ୧୫୮ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ କେବଳ ୧୬ଟି ଆସନରେ ସୀମିତ ଥିବା ଜଣାପଡିଛି। ଏଥିସହିତ ଆମ ଆଦମୀ ପାର୍ଟି ପାଞ୍ଚଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ତିନୋଟି ସିଟ ଅନ୍ୟାନ୍ୟ ଦଳ ପାଖକୁ ଯାଉଥିବା ଜଣାପଡିଛି ।

Related Posts