
ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାର ର ପୂର୍ବତନ ମୁଖ୍ୟମନ୍ତ୍ରୀ ବରିଷ୍ଠ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ସେ ବର୍ତ୍ତମାନ ଅଧା କୋମାକୁ ଚାଲିଯାଇଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଏବେ ଚିକିତ୍ସା କରାଯାଉଛି। ତେବେ ତାଙ୍କ ଶରୀର ହଲଚଲ ହେଉନାହିଁ ବୋଲି ସାନ ପୁଅ ତେଜସ୍ବୀ ଯାଦବ ସୂଚନା ଦେଇଥିଲେ। ଏବେ ବାପାଙ୍କ ଏଭଳି ଅବସ୍ଥା ଦେଖି ଭାବବିହ୍ବଳ ହେବା ସହ ମୋତେ କେବଳ ମୋ ବାପା ଦରକାର ବୋଲି କହିଛନ୍ତି ବଡ଼ ପୁଅ ତେଜ୍।
ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ କଲା ଭଳି ପୋଷ୍ଟ କରି ଲେଖିଛନ୍ତି ଯେ ବାପା, “ଆପଣ ଭଲ ହୋଇ ଶୀଘ୍ର ଘରକୁ ଆସନ୍ତୁ। ଆପଣ ଥିଲେ ସବୁକିଛି ଅଛି। ଯେପର୍ଯ୍ୟନ୍ତ ବାପା ଘରକୁ ନଆସିଛନ୍ତି ପ୍ରଭୁ ମୁଁ ଆପଣଙ୍କ ଶରଣରେ ପଡି ରହିବି। ନା ରାଜନୀତି ନା ଅନ୍ୟ କିଛି, ମୋତେ କେବଳ ମୋର ବାପା ଦରକାର”।
ଉଲ୍ଲେଖଯୋଗ୍ୟ, ଲାଲୁ ତାଙ୍କର ପାଟନା ସ୍ଥିତ ଘର ପାହାଚ ରୁ ପଡ଼ିଯିବା ପରେ ତାଙ୍କ ଦେହର ତିନିଟି ସ୍ଥାନରେ ଗଭୀର ଆଘାତ ଲାଗିବା ସହ କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା। ସୋମବାର ତାଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ପାଟନାସ୍ଥିତ ଡାକ୍ତରଖାନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫୋନ୍ ଯୋଗେ ଲାଲୁ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଓ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ।