“ମୁଁ ନିଶ୍ଚୟ ପୂର୍ବ ଜନ୍ମରେ କିଛି ଭଲ କାମ କରିଥିଲି, ସେଥିପାଇଁ ମନୀଷ ସିସୋଡିଆଙ୍କ ଭଳି ସାଥୀ ପାଇଛି” : ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବାସଭବନରେ ଆମ୍‌ ଆଦମୀ ପାର୍ଟି ବିଧାୟକଙ୍କ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ଆପ ବିଧାୟକ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥାନ ରାଜଘାଟରେ ପହଞ୍ଚିଥିଲେ। ଏହି ଅବସରରେ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଶଂସା କରିଛନ୍ତି। ସିସୋଡିଆଙ୍କୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ମୁଁ ନିଶ୍ଚୟ ପୂର୍ବ ଜନ୍ମରେ କିଛି ଭଲ କାମ କରିଥିଲି, ସେଥିପାଇଁ ମନୀଷ ସିସୋଡିଆ ଭଳି ସାଥୀ ପାଇଛି। ସିସୋଡିଆ ଭାଜପାର ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭାଜପା ପ୍ରତ୍ୟେକ ଏଏପି ବିଧାୟକଙ୍କୁ ୨୦ କୋଟି ଟଙ୍କାରେ ଯୋଗଦେବାକୁ ଅଫର ଦେଉଛି। ମୁଁ ଖୁସି, ମୋର କୌଣସି ବିଧାୟକ ତାଙ୍କ ପ୍ରସ୍ତାବ ଗ୍ରହଣ କରିନାହାଁନ୍ତି। ମୁଁ ଦିଲ୍ଲୀର ଲୋକଙ୍କୁ କହିବାକୁ ଚାହେଁ ଯେ, ଆପଣ ଏକ ସଚ୍ଚୋଟ ଦଳକୁ ଭୋଟ ଦେଇଛନ୍ତି। ଆମେ ମରିଯିବୁ କିନ୍ତୁ ଦେଶର ଲୋକଙ୍କ ସହ କେବେ ପ୍ରତାରଣା କରିବୁ ନାହିଁ।

ସୂଚନା ଅନୁସାରେ, କେଜ୍‌ରିୱାଲଙ୍କ ବାସଭବନରେ ଚାଲିଥିବା ଆଜିର ବୈଠକରେ ଆମ ଆଦମୀ ପାର୍ଟିର ୫୪ ଜଣ ବିଧାୟକ ଉପସ୍ଥିତ ଥିଲେ। ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଆପ ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, ଆପ ପ୍ରତ୍ୟେକ ବିଧାୟକଙ୍କୁ ଭାଜପା ପକ୍ଷରୁ ୨୦ କୋଟି ଟଙ୍କା ପ୍ରଲୋଭନ ଦିଆଯାଇଛି। ବିଭିନ୍ନ କାରଣରୁ ବୈଠକରେ ଯୋଗ ଦେଇ ନ ଥିବା ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅରବିନ୍ଦ କେଜ୍‌ରିୱାଲଙ୍କ ସହ ଅଛନ୍ତି ବୋଲି କହିଛନ୍ତି।

Related Posts