ନିଲମ୍ବିତ ଭାଜପା ବିଧାୟକ ଟି. ରାଜା ସିଂ ପୁଣି ଗିରଫ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନାର ନିଲମ୍ବିତ ଭାଜପା ବିଧାୟକ ଟି. ରାଜା ସିଂଙ୍କୁ ପୁଣି ଗୁରୁବାର ଗିରଫ କରାଯାଇଛି। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସେ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାପୂର୍ବରୁ ଟି.ରାଜାଙ୍କୁ ଗତ ଅଗଷ୍ଟ ୨୩ରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ସେ କୋର୍ଟରୁ ଜାମିନ ପାଇଥିଲେ। ତାଙ୍କ ଜାମିନ ପାଇବା ଘଟଣାକୁ ନେଇ ହାଇଦ୍ରାବାଦରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା। କେବଳ ଏତିକି ନୁହେଁ, ରାଜା ସିଂଙ୍କ ଓକିଲଙ୍କୁ ମଧ୍ୟ ଫୋନ୍‌ରେ ହତ୍ୟା ଧମକ ଦିଆଯାଇଥିଲା।

ନିଲମ୍ବିତ ବିଜେପି ବିଧାୟକ ଟି ରାଜା ସିଂ ହେଉଛନ୍ତି ଗୋଶାମହଲର ବିଧାୟକ। ହାଇଦ୍ରାବାଦର ଦାବିରପୁରା ପୋଲିସ ଷ୍ଟେଶନରେ ତାଙ୍କଙ୍କ ବିରୋଧରେ ଆଇପିସି ଧାରା ୨୯୫ (କ) ଏବଂ ୧୫୩ (କ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ, କିନ୍ତୁ ପରେ ଏହି ଆଦେଶ ପ୍ରତ୍ୟାହାର କରି ଜାମିନ ପ୍ରଦାନ କରିଥିଲେ।


ସୂଚନାଯୋଗ୍ୟ ଯେ, ନିକଟରେ ଟି ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ସେ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଲୋକମାନେ ଦାବିରପୁରା, ଭବାନୀନଗର, ମିଚୌକ, ରେନବାଜାର ପୋଲିସ ଷ୍ଟେଶନରେ ଘେରାଉ କରିଥିଲେ। ଅଗଷ୍ଟ ୨୩ରେ, ଭାଜପା ଟି. ରାଜାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

Related Posts