ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିନ୍ଦୀ କହିବା ସମୟରେ ମୋ ଦେହ ଥରିଗଲା ଭଳି ଲାଗେ। ମୁଁ ସଙ୍କୋଚର ସହ ହିନ୍ଦୀ କହିଥାଏ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଏହା କହିଛନ୍ତି। ‌କାହିଁକି ହିନ୍ଦୀ କହିବା ତାଙ୍କ ପାଇଁ ସହଜ ‌ନୁହେଁ ତାହାର କାରଣ ମଧ୍ୟ ସେ ଏହି ଭାଷଣରେ କହିଛନ୍ତି। ‌ସେ କହିଛନ୍ତି ଯେ, ମୋର ଜନ୍ମ ତାମିଲନାଡୁରେ । ସେଠାରେ କଲେଜରେ ପାଠ ପଢ଼ିବା ସମୟରେ ହିନ୍ଦୀ ବିରୋଧରେ ଆନ୍ଦୋଳନ ଚାଲିଥିଲା। ମୁଁ ସେତେବେଳେ ହିନ୍ଦୀ ବିରୋଧରେ ହିଂସାତ୍ମକ ବିରୋଧ ମଧ୍ୟ ଦେଖିଛି। ବିରୋଧ ଏଭଳି ସ୍ତରରେ ଥିଲା ଯେ ହିନ୍ଦୀ ଭାଷା ଚୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ରାଜ୍ୟ ସରକାର ଛାତ୍ର ବୃତ୍ତି ଦେଉନଥିଲେ।

ବୟସ୍କ ହେବା ପରେ ନୂଆ ଭାଷା ଶିଖିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ କଷ୍ଟକର ବ୍ୟାପାର। ତଥାପି ସେ ନିଜ ସ୍ବାମୀଙ୍କ ମାତୃଭାଷା ‌ତେଲୁଗୁ ଶିଖିଛନ୍ତି ବୋଲି କହିଛନ୍ତି। ମାତ୍ର ବିଭିନ୍ନ କାରଣ ଯୋଗୁଁ ହିନ୍ଦୀ ଭଲ ଭାବେ ଶିଖିପାରିନାହିଁ ବୋଲି ନିର୍ମଳା ସ୍ବୀକାର କରିଛନ୍ତି। ମୁଁ ସଙ୍କୋଚର ସହ ହିନ୍ଦୀ କହୁଥିବାରୁ କଥାର ପ୍ରବାହ ପ୍ରଭାବିତ ହୋଇଥାଏ ବୋଲି ନିର୍ମଳା କହିଛନ୍ତି। ଏକଥା କହିବା ସତ୍ତ୍ବେ ଏହି କାର୍ଯ୍ୟକ୍ରମରେ ସେ ୩୫ ମିନିଟ୍ ପର୍ଯ୍ୟନ୍ତ ହିନ୍ଦୀରେ ଭାଷଣ ଦେଇଥିଲେ।