ଜିଏସଟି କାଉନସିଲ ବୈଠକରେ ମୋତେ କହିବାର ସୁଯୋଗ ଦିଆଗଲା ନାହିଁ – ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲଗାତର ଦେଖିବାକୁ ମିଳୁଛି। ବର୍ତ୍ତମାନ ଜିଏସଟି କାଉନସିଲ ବୈଠକକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି। ଗତକାଲି ଅନୁଷ୍ଠିତ ହୋଇଥିବା ୪୪ ତମ ଜିଏସଟି କାଉନସିଲ ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ରଙ୍କୁ ନିଜ ମତ ରଖିବାର ସୁଯୋଗ ଦିଆଯାଇନଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅପରପକ୍ଷେ କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ବୈଠକରେ ମିତ୍ରଙ୍କ କନେକ୍ଟିଭିଟି ଖରାପ ଥିବା ସେ କହିଛନ୍ତି । ବେଙ୍ଗଲ ଅର୍ଥମନ୍ତ୍ରୀ ଅମିତ ମିତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, “ମୁଁ ଏହି ଚିଠି ଜରିଆରେ ମୋର ଅସନ୍ତୋଷ ବ୍ୟକ୍ତ କରୁଛି। ଜିଏସଟି ପରିଷଦ ବୈଠକ ଶେଷରେ ମୁଁ ମୋର ମତ ପ୍ରକାଶ କରିବା ପାଇଁ ଚେଷ୍ଟା କରିଥିଲି। ଆପଣ ମୋର ନାଁ ନେଇ ମତ ରଖିବାକୁ କହିଥିଲେ। କିନ୍ତୁ ଆପଣଙ୍କ କହିବା ସତ୍ତ୍ଵେ ମୋତେ କହିବାକୁ ଅନୁମତି ଦିଆଯାଇନଥିଲା। ଏହା ବଦଳରେ ଆପଣ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀଙ୍କୁ କହିବାର ସୁଯୋଗ ଦେଇଥିଲେ। ଏବଂ ସେ ମୋର କିଛି ମନ୍ତବ୍ୟକୁ ଡିଲିଟ୍ କରିବାକୁ କହିଥିଲେ, ବିଡମ୍ବନାର ବିଷୟ ହେଉଛି ଆପଣ ମଧ୍ୟ ତାଙ୍କ କଥାରେ ସହମତ ହୋଇଥିଲେ। ” ମିତ୍ରଙ୍କ ଅଭିଯୋଗର ଜବାବରେ ଅନୁରାଗ ଠାକୁର କହିଛନ୍ତି ଯେ ଏପରି କୌଣସି ଘଟଣା ଘଟି ନାହିଁ ଏବଂ ବେଙ୍ଗଲ ଅର୍ଥମନ୍ତ୍ରୀଙ୍କୁ ଏପରି ଦାବି କରିବା ଅନୁଚିତ।

ଅନୁରାଗ ଠାକୁର କହିଛନ୍ତି- “ଜିଏସଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେବେ ବି ଅସନ୍ତୋଷ ଜାହିର କରିବାକୁ ମନା କରିନାହାଁନ୍ତି। ଏଭଳି ଅଭିଯୋଗ କରିବା ପରିଷଦର ଜଣେ ବରିଷ୍ଠ ସଦସ୍ୟଙ୍କୁ ଶୋଭା ଦେଉନାହିଁ । ଜିଏସଟି ପରିଷଦ ବୈଠକ ସମସ୍ତ ରାଜ୍ୟ ଗୁଡିକ ମଧ୍ୟରେ ସୁସ୍ଥ ବିତର୍କର ଏକ ସାମୂହିକ ଭାବନାକୁଆପ୍ରତିନିଧିତ୍ୱ କରୁଛି। ତେଣୁ ପରିଷଦ ଏପର୍ଯ୍ୟନ୍ତ ଏହା କରିଆସୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। “ଠାକୁର ଏହା ମଧ୍ୟ କହିଛନ୍ତି ଯେ ବୈଠକରେ ମିତ୍ରଙ୍କ କନେକ୍ଟିଭିଟି ଭଲ ନଥିଲା।  ରାଜସ୍ୱ ସଚିବ ତାଙ୍କୁ କହିଥଲେ ଯେ ତାଙ୍କ ଲାଇନ ଖରାପ ଅଛି ଏବଂ ତାଙ୍କ ଭ୍ଏସ୍ ଠିକ୍ ଭାବରେ ଶୁଣାଯାଉନାହିଁ।  ରାଜସ୍ୱ ସଚିବ ତାଙ୍କୁ ଗୁଡ୍ କନେକ୍ଟିଭିଟି ପାଇଁ ଭିଡିଓ ଅଫ୍ କରିବାକୁ କହିଥିଲେ। ଅନୁରାଗ ଠାକୁର ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ କହୁଥିବା ବେଳେ ମିତ୍ରଙ୍କ କଥା କେହି ଶୁଣି ନାହାଁନ୍ତି କିମ୍ବା ସେ ମଧ୍ୟ ମତାମତ ରଖିବା ପାଇଁ ଅନୁମତି ମାଗି ନାହାଁନ୍ତି।  ଅନ୍ୟ ସଦସ୍ୟମାନେ ଏ ନେଇ ସ୍ପଷ୍ଟ କରିପାରିବେ।

Related Posts