ନିଜେ ବିକ୍ରି ହୋଇଯିବି ପଛେ ପୁଅକୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟ ଯିବି: ମାନସଙ୍କ ମାଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତ୍ୟେକ ଦିନ ହତ୍ୟାକାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ପୁଲିସ ଗିରଫ କରି ପାରି ନାହିଁ । ଏହା ମଧ୍ୟରେ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ମାନସଙ୍କ ମାଆ । ଆଜି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ପରେ ସେଠାରୁ ଏକ ଠେଙ୍ଗା ମିଳିଛି । ଏହି ଠେଙ୍ଗାରେ ମାନସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଉ ଏହା ଜାଣିବା ପରେ ମାନସଙ୍କ ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, ମୁଁ ନିଜେ ବିକ୍ରି ହୋଇଯିବି ପଛେ, ମାନସକୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯିବି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଶ୍ରମର ଲେଡିକେୟାରଟେକର, ଦିଲ୍ଲୀପ ଖଟେଇ ଓ ଆଶ୍ରମ ସହିତ ଜଡିତ ଲୋକଙ୍କୁ ପଚରାଉଚରା କରିଛନ୍ତି ।

ଫରେନସିକ୍ ଟିମ୍ ଓ ଡାକ୍ତରୀଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ଥ୍ରୀଡି କ୍ୟାମେରାରେ ଆଶ୍ରମ ଭିତର ଓ ବାହାରର ଫଟୋ ନିଆଯାଇଛି । ଏଥିସହ ମହିଳା କେୟାର ଟେକରଙ୍କୁ କ୍ରାଇମବ୍ରାଞ୍ଚ ଟିମ ସାଞ୍ଚରେ ନେଇଥିବା ଜଣାପଡିଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ବାଡିକୁ ମଧ୍ୟ ତଦନ୍ତକାରୀ ଟିମ୍ ସାଙ୍ଗରେ ନେଇଯାଇଛି । ଏହି ଆଶ୍ରମରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ୱେବ-ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ମାନସଙ୍କୁ ଅପହରଣ କରିବା ପରେ ଏହି ଆଶ୍ରମରେ ହତ୍ୟା କରିଥିବା ପୁଲିସ କହିଥିଲା । ଏହି ମାମଲାରେ ନିରଞ୍ଜନଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି ।

Related Posts