ବିଜେପି ସହ ପୁଣି ମେଣ୍ଟ କରିବା ଅପେକ୍ଷା ମୁଁ ମରି ଯିବାକୁ ପସନ୍ଦ କରିବି: ନୀତିଶ କୁମାର

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିଜେପିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତୀଶ କହିଛନ୍ତି, ‘ବିଜେପି ସହ ପୁଣି ମେଣ୍ଟ କରିବା ଅପେକ୍ଷା ମୁଁ ମରି ଯିବାକୁ ପସନ୍ଦ କରିବି।’ ନୀତୀଶ କହିଛନ୍ତି ଯେ, ୨୦୨୦ ରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ, ତାଙ୍କୁ ବଳପୂର୍ବକ ପଦରେ ବସାଯାଇଥିଲା। ହେଲେ ଏବେ ସେ କୌଣସି ସ୍ଥିତିରେ ବିଜେପି ସହିତ ଆଉ ମେଣ୍ଟ କରିବେ ନାହିଁ। ଏବେ ସବୁ ବିରୋଧୀ ଦଳକୁ ଏକଜୁଟ୍ କରିବାକୁ ଚାହାନ୍ତି, ସେଥିରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ବାର୍ଥ ନାହିଁ ବୋଲି ସେ କହିଛନ୍ତି।

ନୀତୀଶ କହିଛନ୍ତି ଯେ, ଆମେ ଅଟଳ ବିହାରୀ ବାଜପେୟୀଙ୍କୁ ମାନୁଥିବା ଲୋକ, ସେ ଅନେକ ଭଲ କାମ କରିଛନ୍ତି। ଏହାପରେ ବି ଆମେ ତାଙ୍କର ସାଥ୍ ଛାଡି ଦେଇଥିଲୁ। ପରେ ବିଜେପି ଆମେ ପଛରେ ପଡି ୨୦୧୭ ରେ ଆମକୁ ତାଙ୍କ ସହିତ ମିଶାଇଥିଲା। ପରେ ମୋତେ ଅନୁଭବ ହୋଇଥିଲା ଏହା ଭୁଲ। ୨୦୨୦ ରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି। ମୁଁ କହିଥିଲି ଆପଣଙ୍କ ସିଟ୍ ଅଧିକ ରହିଛି, ତେଣୁ ଆପଣ ନିଜର ମୁଖ୍ୟମନ୍ତ୍ରୀ କରନ୍ତୁ। ଏ ସବୁ ଲୋକ ଭୁଲି ଯାଇଛନ୍ତି, ସେତେବେଳେ ଆମେ ସାଙ୍ଗରେ ଥିଲୁ, ସେତେବେଳେ ସଂଖ୍ୟାଲଘୁଙ୍କ ଭୋଟ୍ ମଧ୍ୟ ତାଙ୍କୁ ମିଳିବା ଆରମ୍ଭ ହୋଇଯାଇଥିଲା। ତାଙ୍କ ଦମ୍‌ରେ ବିଜେପି ଖୁବ୍ ସିଟ୍ ଜିତିବାରେ ସଫଳ ହୋଇଥିଲେ। ଏହାପରେ ଯେତେବେଳେ ଆମେ ତାଙ୍କଠାରୁ ଅଲଗା ହୋଇଯାଇଥିଲୁ, ସେତେବେଳେ ତାଙ୍କୁ କେତେ ସିଟ୍ ମିଳିଥିଲା? ଏଥର ପୁଣି ନିର୍ବାଚନ ହେଉ, ସମସ୍ତଙ୍କୁ ଜଣାପଡି ଯିବ, କାହାର କେତେ ସିଟ୍ ବୋଲି ନୀତିଶ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅଟଳଜୀ ଓ ଆଡଭାନୀ ଜୀଙ୍କ ସମୟରେ ତାଙ୍କ ସହିତ ଥିଲୁ। ସେତେବେଳେ ପାର୍ଟିର ସ୍ଥିତି ଅଲଗା ଥିଲା। ଏବେ ତ ଏହି ଲୋକମାନେ ପାର୍ଟିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି। ନୀତୀଶ କହିଛନ୍ତି, ମୁଁ ବିରୋଧୀ ଦଳର ଏକତା ଚାହେଁ, ମୋତେ ନିଜ ପାଇଁ କିଛି ଦରକାର ନାହିଁ। ମୋର ବ୍ୟକ୍ତିଗତ କୌଣସି ସ୍ବାର୍ଥ ନାହିଁ। ମୁଁ ସମସ୍ତଙ୍କ ପାଇଁ କାମ କରିଛି, ରାଜ୍ୟରେ ୧୭ ବର୍ଷ ହେବ କରୁଛି ଓ ଯେତେବେଳେ କେନ୍ଦ୍ରରେ ଥିଲୁ ସେତେବେଳେ ବି କରିଛୁ। ଏମାନେ ସବୁ ଭୁଲି ଗଲେ।

ଉଲ୍ଲେଖଯୋଗ୍ୟ ଯେ, ନୀତୀଶ କୁମାରଙ୍କ ଏହି ବୟାନ ସେହି ସମୟରେ ଆସିଛି, ଯେତେବେଳେ ତାଙ୍କ ଦଳର ନେତା ଉପେନ୍ଦ୍ର କୁଶଓ୍ବାହ ଲଗାତାର ତାଙ୍କୁ ଟାର୍ଗେଟ କରୁଛନ୍ତି। ଉପେନ୍ଦ୍ର କହିଥିଲେ ଯେ, ଜେଡିୟୁର ବଡ ନେତା ବିଜେପିର ସମ୍ପର୍କରେ ଅଛନ୍ତି। ଏହା ପୂର୍ବରୁ ଯେତେବେଳେ ଉପେନ୍ଦ୍ର ଏମ୍ସରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ଫଟୋ କିଛି ବିଜେପି ନେତାଙ୍କ ସହିତ ଆସିଥିଲା। ଉପେନ୍ଦ୍ର ବିଜେପିରେ ସାମିଲ ହେବାର ଚର୍ଚ୍ଚା ହୋଇଥିଲା। ହେଲେ ସେ ଜେଡିୟୁ ଛାଡି କୁଆଡେ ଯିବେନି ବୋଲି କହିଥିଲେ।

Related Posts