ଆଇସିସି ଦିନିକିଆ ମାନ୍ୟତା; ଶ୍ରେଷ୍ଠ ୪ରେ ୩ ଭାରତୀୟ ବ୍ୟାଟ୍ସମ୍ୟାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ୱକପ ଶେଷ ହେବା ପରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଘୋଷଣା କରା ଯାଇଛି । ବ୍ୟାଟିଂରେ ଶୁବମାନ ଗିଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରି ଚମତ୍କାର ପ୍ରଦର୍ଶନ ଦେଇଥିବା ବିରାଟ କୋହଲି ମାନ୍ୟତାରେ ତୃତୀୟକୁ ଉଠିଛନ୍ତି । ବିଶ୍ୱକପରେ ୭୬୫ ରନ କରିଥିବା ବିରାଟ କୋହଲି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହେବା ସହ ନିଜ ଦିନିକିଆ ରାଙ୍କିରେ ମଧ୍ୟ ଉନ୍ନତି ଘଟାଇ ପାରିଛନ୍ତି ।

ତେବେ ଗିଲଙ୍କ ଠାରୁ କୋହଲି ୩୩ ପଏଣ୍ଟ ପଛରେ ରହିଛନ୍ତି । ଅନ୍ୟପଟେ ତାଲିକାର ଦ୍ୱିତୀୟରେ ପାକିସ୍ତାନର ବାବର ଆଜମ ରହିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ଓପନର କ୍ୱିଣ୍ଟନ ଡି କକ୍ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ରହିଥିବା ବେଳେ ନ୍ୟୁଜିଲାଣ୍ତର ଡାରିଲ ମିଚେଲ ଷଷ୍ଠ ସ୍ଥାନରେ ରହିଛନ୍ତି ।

ସେହିପରି ବୋଲିଂରେ କେଶବ ମହାରାଜା ଓ ଅଲରାଉଣ୍ତରରେ ସାକିବ ଅଲ ହାସନ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବୋଲିଂ ମାନ୍ୟତାରେ ହାଜେଲଉଡ ୪ଟି ସ୍ଥାନର ଉନ୍ନତି ଘଟାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ମହମ୍ମଦ ସିରାଜ ତୃତୀୟକୁ ଖସିଥିବା ବେଳେ ଜଶପ୍ରୀତ ବୁମରା ଚତୁର୍ଥରେ ରହିଛନ୍ତି ।

ସେହିପରି ଅଲରାଉଣ୍ତର ତାଲିକାରେ ରବିନ୍ଦ୍ର ଜାଡେଜା ଦଶମ ସ୍ଥାନରେ ରହିଛନ୍ତି । ଏକମାତ୍ର ଭାରତୀୟ ଭାବେ ସେ ଅଲରାଉଣ୍ତର ତାଲିକାର ଟପ-୧୦ରେ ସ୍ଥାନ ପାଇଛନ୍ତି ।

Related Posts