ଆଣ୍ଟିବାୟୋଟିକ୍‌ ଔଷଧ ସେବନକୁ ନେଇ ଆଇସିଏମ୍‌ଆର୍‌ ର ଗାଇଡ୍‌ଲାଇନ: ସାମାନ୍ୟ ଜ୍ୱର ହେଲେ ନଖାଇବାକୁ ପରାମର୍ଶ

ନୂଆଦିଲ୍ଲୀ : ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ବ୍ରୋଙ୍କାଇଟିସ୍‌ ଭଳି ଅସୁସ୍ଥତା ଅନୁଭବ ହେଲେ ସମସ୍ତେ ସାଧାରଣତଃ ଆଣ୍ଟିବାୟୋଟିକ୍‌ ଔଷଧ ସେବନ କରିଥାନ୍ତି। ତେବେ ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ସେବନକୁ ନେଇ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏକ ଗାଇଡ୍‌ଲାଇନ ଆଣିଛି । ଆଣ୍ଟିବାୟୋଟିକ୍‌ଠାରୁ ଦୂରେଇ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ।

ସେହିପରି ଚର୍ମ ଏବଂ ସଫ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡାକ୍ତର ୫ ଦିନ ପାଇଁ ଆଣ୍ଟିବାୟୋଟିକ୍‌ ଲେଖିବାକୁ ଗାଇଡଲାଇନରେ ରହିଛି । ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ ପାଇଁ ୫ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍‌ ପ୍ରେସ୍‌କ୍ରାଇବ କରାଯାଇପାରିବ ।

ବହୁସଂଖ୍ୟାରେ ଲୋକେ ମନଇଚ୍ଛା ଭାଇରାଲ ଜ୍ୱର, କାଶ ଆଦିରେ ମଧ୍ୟ ଆଣ୍ଟିବାୟୋଟିକ୍‌ ସେବନ କରୁଛନ୍ତି । ଏହାର କୁପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି । ଆମ ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ଏଥିଯୋଗୁ ନଷ୍ଟ ହୋଇଥାନ୍ତି । ଏଥିଯୋଗୁ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ଘଟିଥାଏ । ଯେତେବେଳେ ରୋଗୀଙ୍କୁ ବାସ୍ତବରେ ଆଣ୍ଟିବାୟୋଟିକ୍‌ ଆବଶ୍ୟକ ପଡ଼େ ସେତେବେଳେ ତାହା ସେମାନଙ୍କ ଶରୀରରେ ଠିକ୍‌ ଭାବେ ପ୍ରଭାବୀ ହୋଇପାରି ନ ଥାଏ ।

ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ନ କରିବାକୁ ମେଡିକାଲ ଏଜେନ୍ସିଗୁଡ଼ିକ ବାରମ୍ବାର ଚେତାବନୀ ଦେଉଛନ୍ତି । ନିକଟରେ ଆଇସିଏମ୍‌ଆର୍‌ ଦ୍ୱାରା ଏକ ମଲ୍ଟି-ସେଣ୍ଟର ସର୍ଭେ କରାଯାଇଥିଲା । ଶରୀରରେ ଆଣ୍ଟିବାୟୋଟିକ୍‌କୁ ପ୍ରତିରୋଧ କରୁଥିବା କେତେକ ତତ୍ତ୍ୱ ଉପରେ ଏଥିରେ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଛି, ରକ୍ତ, ମୂତ୍ରନଳୀ, ଫୁସ୍‌ଫୁସ୍‌ ଆଦିରେ ସଂକ୍ରମଣ ବଢ଼ାଉଥିବା ଏସିନେଟୋବ୍ୟାକ୍ଟର ବୌମାନି ନାମକ ଏକ ବ୍ୟାକ୍ଟେରିଆ ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍‌କୁ ସହଜରେ ପ୍ରତିରୋଧ କରିପାରୁଛି । ଫଳରେ ଏହି ବ୍ୟାକ୍ଟେରିଆରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କଷ୍ଟକର ହେଉଛି । ଏହି ବ୍ୟାକ୍ଟେରିଆ ଭଳି ଅନ୍ୟକେତେକ ଜୀବାଣୁ ମଧ୍ୟ ଆଣ୍ଟିବାୟୋଟିକ୍‌କୁ ପ୍ରତିରୋଧ କରୁଛନ୍ତି ।

୨୦୨୧ରେ ଆଇସିୟୁରେ ନିମୋନିଆ ରୋଗୀଙ୍କ ପାଇଁ ଚିକିତ୍ସାରେ ବ୍ୟବହୃତ କାର୍ବୋପେନେମ୍ସ ଆଣ୍ଟିବାୟୋଟିକ୍‌ ପ୍ରଭାବଶାଳୀ ନ ହେବା ମାମଲା ବଢ଼ିଥିବା ଆଇସିଏମ୍‌ଆର୍‌ କହିଛି । ଏସବୁକୁ ଦେଖି ଆଣ୍ଟିବାୟୋଟିକ୍‌ ବ୍ୟବହାରକୁ ନେଇ ଗାଇଡ୍‌ଲାଇନ ଆଣିବା ଜରୁରୀ ଥିଲା ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ।

Related Posts