କୋଭିଡ୍-19 ର ତୃତୀୟ ଲହର ଦ୍ବିତୀୟ ଭଳି ବିପଦଜନକ ହେବ ନାହିଁ : ଆଇସିଏମଆର ଷ୍ଟଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ସାରା ଦେଶରେ ତାଣ୍ଡବ ରଚିଥିଲା। ଅକ୍ସିଜେନର ଘୋର ଅଭାବ ସାଙ୍ଗକୁ ମେଡିକାଲରେ ବେଡ୍ ମଧ୍ୟ ମିଳିନଥିଲା । ଶ୍ମଶାନରେ ଶବ ଦାହ ପାଇଁ ମଧ୍ୟ ଜାଗା ମିଳିନଥିଲା। ତେବେ ଦ୍ବିତୀୟ ଲହର ଭୟାବହତା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି। ତେବେ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ୍ ର ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଭୟାନକ ହେବର ସମ୍ଭାବନା ନାହିଁ। ଆଇସିଏମ୍ଆରର ଏହି ଅଧ୍ୟୟନ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ କୁହାଯାଇଛି ଦ୍ୱିତୀୟ ଲହର ବେଳେ ୪୦ ପ୍ରତିଶତ ଜନସଂଖ୍ୟା ତିନିମାସ ମଧ୍ୟରେ ଉଭୟ ଡୋଜ ନେଇଛନ୍ତି। ତେଣୁ ଟିକାକରଣର ପ୍ରଭାବ ସଂକ୍ରମଣର ପ୍ରଭାବକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ। ତେଣୁ ଟିକାକରଣ ତୃତୀୟ ଲହର ଗମ୍ଭୀରତାକୁ ହ୍ରାସ କରିପାରେ। ଗାଣିତିକ ମଡେଲ ବିଶ୍ଳେଷଣ ଉପରେ ଆଧାର କରି ଏହି ଅଧ୍ୟୟନ ପୂର୍ବାନୁମାନ କରାଯାଇଛି ଯେ , “ଦ୍ରୁତ ଟୀକାକରଣ ତୃତୀୟ ଲହର ଭୟାବହତାକୁ ହ୍ରାସ କରିବାରେ ଯଥେଷ୍ଟ ସହାୟକ ହେବ । ” ଏହି ଅଧ୍ୟୟନରେ ଆଇସିଏମଆର ମହାନିର୍ଦ୍ଦେଶକ ଡ ବଳରାମ ଭାର୍ଗବ , ସନ୍ଦୀପ ମଣ୍ଡଳ, ସମୀର ପଣ୍ଡା ଏବଂ ଲଣ୍ଡନ ସ୍ଥିତ ଇମ୍ପେରିଆଲ କଲେଜରେ କାମ କରୁଥିବା ନିମଲାନ ଏରିନାମ୍ପଥୀ ସାମିଲ ହୋଇଥିଲେ। । ସୂଚନାଯୋଗ୍ୟ ଯେ ଯେ ଭାରତରେ ଏପ୍ରିଲ୍ ଏବଂ ମେ ମାସରେ କରୋନାର ଦ୍ୱିତୀୟ ଲହର ପିକ୍ ରେ ପହଞ୍ଚିଥିଲା। ବର୍ତ୍ତମାନ ଦ୍ୱିତୀୟ ଲହରର ଭୟାବହତା ବହୁ ମାତ୍ରାରେ ହ୍ରାସ ପାଇଛି ଏବଂ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 50,000 ତଳେ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୈନିକ କୋଭିଡ୍ ମୃତ୍ୟୁ ସଂଖ୍ୟା 1000 ରୁ ଅଧିକ ରହିଛି। ତୃତୀୟ ଲହର ସମ୍ଭାବନା ମଧ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଏହାକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଜମ୍ମୁ କଶ୍ମୀର ଏବଂ ହରିଆଣାକୁ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ କହିଛି।

Related Posts