ଆଇସିଏମ୍‌ଆରର ଚେତାବନୀ : ଅଗଷ୍ଟ ଶେଷ ସୁଦ୍ଧା ଆସିଯିବ କୋଭିଡ୍ ର ତୃତୀୟ ଲହର !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:  ଅଗଷ୍ଟ ମାସ ଶେଷ ସୁଦ୍ଧା ଭାରତରେ କରୋନାର ତୃତୀୟ ଲହର ଆସିଯିବ। ଏଭଳି ଚେତାବନୀ ଦେଇଛନ୍ତି ଆଇସିଏମ୍‌ଆରର ଏପିଡେମୋଲୋଜି ଏବଂ ସଂକ୍ରାମକ ରୋଗର ମୁଖ୍ୟ ଡାକ୍ତର ସମୀରଣ ପଣ୍ଡା। ଏନଡିଟିଭି ସହ ବାର୍ତ୍ତାଳାପରେ ଡାକ୍ତର ପଣ୍ଡା କହିଛନ୍ତି ଯେ, ତୃତୀୟ ଲହର ସାରା ଦେଶବ୍ୟାପୀ ହେବ କିନ୍ତୁ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ। ତୃତୀୟ ଲହର ଆସିବାର ସେ ୪ଟି ପ୍ରମୁଖ କାରଣ କହିଛନ୍ତି।

       ପ୍ରଥମ କାରଣଟି ହେଉଛି ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯା‌ଏ । ଦ୍ବିତୀୟ କାରଣ ହେଉଛି କରୋନାର ଏକ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବା ଯୋଗୁଁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। କିଛି କ୍ଷେତ୍ରରେ ରୋଗପ୍ରତିରୋଧକତା ନଷ୍ଟ ନହେଲେ ବି ସଂକ୍ରମଣର ତୀବ୍ରତା ଯୋଗୁଁ କରୋନା ମହାମାରୀର ତୃତୀୟ ଲହର ଆସିବ । ଏବଂ ଚତୁର୍ଥ କାରଣଟି ହେଉଛି ରାଜ୍ୟମାନେ କଟକଣାକୁ ଖୁବଶୀଘ୍ର ହଟାଇଦେବା। ତେବେ ସଂକ୍ରମଣ ବଢ଼ିଯିବ ଏବଂ ତୃତୀୟ ଲହର ଆସିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। 

     ତେବେ ଡେଲଟା ପ୍ଲସ୍ ଭାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରେ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ ଡେଲଟା ଏବଂ ଡେଲଟା ପ୍ଲସ୍ ଉଭୟ ପ୍ରକାର ଦେଶରେ ବ୍ୟାପିଛି ଏବଂ ସେ ଡେଲଟା ଭାରିଏଣ୍ଟରୁ ଆଉ ଜନସ୍ୱାସ୍ଥ୍ୟ କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆଇଏମ୍‌ଏ ଡାକ୍ତରମାନେ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ମଧ୍ୟ ଆଜି ସତର୍କ କରାଇ କହିଛନ୍ତି, ଆମେ ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ରହିଛେ।

ଆଇଏମଏ ଏବଂ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି:- 

 ସୋମବାର ଦିନ ଆଇଏମଏ COVID-19 ପ୍ରୋଟୋକଲକୁ ଅନୁସରଣ ନକରି ଲୋକଙ୍କ ଏକତ୍ର ହେବାକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଆଇଏମ୍ଏ ଚେତାବନୀ ଦେଇଥିଲା ଯେ ଏହି ଘଟଣା ମହାମାରୀର ତୃତୀୟ ତରଙ୍ଗର ମୁଖ୍ୟ କାରଣ ହୋଇପାରେ। ଆଇଏମଏ ଏକ ବିବୃତ୍ତିରେ କହିଛି ଯେ ପର୍ଯ୍ୟଟକ, ତୀର୍ଥଯାତ୍ରା, ଧାର୍ମିକ ଉତ୍ସବକୁ ଅନୁମତି ଦେଲେ ସ୍ଥିତି ସାଙ୍ଘାତିକ ହୋଇପାରେ। 

 ଅନ୍ୟପକ୍ଷରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଦେଶର ଅନେକ ସ୍ଥାନରେ ପାହାଡୀ ପର୍ଯ୍ୟଟନ ସ୍ଥଳ ସମେତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ ନିୟମର ଖୋଲା ଉଲ୍ଲଂଘନ ପରିଲକ୍ଷିତ ହୋଇଛି। ତେଣୁ କୋଭିଡ୍ ପ୍ରୋଟୋକଲର କଡାକଡି ପାଳନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଦେଶ ଦେଇଥିଲେ। 

 ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଆହୁରି ମଧ୍ୟ କହିଛନ୍ତି ଯେ ସାଧାରଣ ପରିବହନରେ କୋଭିଡ ନିୟମ କଡାକଡି ପାଳନ କରାଯାଉ ନାହିଁ ଏବଂ ବଜାରରେ ବହୁ ସଂଖ୍ୟାରେ ଲୋକ ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରୁଛନ୍ତି । ସେ ଆହୁରି ମଧ୍ୟ ଚେତାଇ ଦେଇଛନ୍ତି ଯେ କୋଭିଡ -19 ର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

Related Posts