ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସ ପରେ ଏବେ ସାଇବର ଠକଙ୍କ ନଜରରେ ଭାରତୀୟ ଭେଷଜ ଗବେଷଣା ସଂସ୍ଥା ବା ଆଇସିଏମଆର । ଅଦୃଶ୍ୟ ସ୍ମାର୍ଟ ଠକ ରୋଗୀଙ୍କ ଡାଟା ଲିକ୍ କରିବାକୁ ଅକ୍ଲାନ୍ତ ଉଦ୍ୟମ ଚଳାଇଛନ୍ତି । ୨୪ ଘଣ୍ଟାରେ ସର୍‌ଭର ଉପରେ ୬ ହଜାର ଥର ସାଇବର ଆଟାକ୍ କରିଛନ୍ତି ।

ହ୍ୟାକରଙ୍କ ଟାର୍ଗେଟରେ ସରକାରୀ ଓ୍ବେବସାଇଟ୍ । ଡାଟା ଲିକ୍ କରିବାକୁ ଗୋଟିଏ ପରେ ଗୋଟିଏ ସଂସ୍ଥା ଉପରେ କଳା ନଜର ପକାଉଛନ୍ତି ସ୍ମାର୍ଟ ଠକ । ଦିଲ୍ଲୀରେ ଏମ୍‌ସ ପରେ ଏବେ ଭାରତୀୟ ଭେଷଜ ଗବେଷଣା ପରିଷଦ ଉପରେ ସାଇବର ଆଟାକ୍ ହୋଇଛି । ରାଷ୍ଟ୍ରୟୀ ସୂଚନା ବିଜ୍ଞାନ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୨୪ ଘଣ୍ଟାରେ ଅଦୃଶ୍ୟ ଠକ ଆଇସିଏମଆର ଓ୍ବେବସାଇଟକୁ ୬ ହଜାରରୁ ଅଧିକ ଥର ଆଟାକ୍ କରିଛନ୍ତି । ରୋଗୀଙ୍କ ଡାଟା ଲିକ୍ କରିବାକୁ ଉଦ୍ୟମ ଚଳାଇଛନ୍ତି ହ୍ୟାକର ।

ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଆଇସିଏମଆର ଓ୍ବେବସାଇଟକୁ ଆଟାକ୍ କରିଥିବା ହ୍ୟାକର ହଂକଂର ବୋଲି ଜଣାପଡ଼ିଛି । ବ୍ଲକ୍ ଲିଷ୍ଟେଡ୍ ଆଇପି ଆଡ୍ରେସ୍ ୧୦୩.୧୫୨.୨୨୦.୧୩୩ରୁ ସାଇବର ଆଟାକ୍ ହୋଇଥିଲା । ହେଲେ ଏଥିରେ ଅସଫଳ ହୋଇଛନ୍ତି ହ୍ୟାକର୍ସ । ଆଇପି ଆଡ୍ରେସକୁ ବ୍ଲକ୍ କରିଦିଆଯାଇଥିବା ଅଧିକାରୀ କହିଛନ୍ତି । ଏନେଇ ଆଇସିଏମଆର ଅଧିକାରୀଙ୍କୁ ପଚାରିବାରୁ ସେ ଏବାବଦରେ କୌଣସି ଟିପ୍ପଣୀ ଦେଇନାହାନ୍ତି