ସାନ ପୁଅ ପାଇଁ ପ୍ରଚାର କରିବିନି ହେଲେ ସପୋର୍ଟ ଦେବି: ସୁର ରାଉତରାୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ପୁଅ ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ମନ୍ମଥକୁ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ । ଏହାସହିତ ମାରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି କହିଛନ୍ତି ସୁର | ବଡ ପୁଅ କଂଗ୍ରେସରୁ ଲଢ଼ିବ, ତା ପାଇଁ ପ୍ରଚାର କରିବାକୁ ନିମାପଡା ଯିବି | ସାନ ପୁଅ ପାଇଁ ପ୍ରଚାର କରିବିନି, ହେଲେ ତାକୁ ଜିତିବା ପାଇଁ ସହଯୋଗ କରିବି ବୋଲି କହିଛନ୍ତି ସୁର |

ଅନ୍ୟପକ୍ଷରେ ବାପାଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ଶଙ୍ଖ ଭବନରେ ମନ୍ମଥ କହିଛନ୍ତି, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ। ତେଣୁ ସମସ୍ତେ ମନରୁ ଏନେଇ ଦ୍ୱନ୍ଦ୍ୱ ଦୂର କରିବାକୁ ମନ୍ମଥ କହିଛନ୍ତି |

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମନ୍ମଥ କ୍ୟାପଟନ ଚାକିରି ଛାଡ଼ିଥିଲେ। ପରେ ସୁର ମନ୍ମଥଙ୍କୁ ଜଟଣୀରୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ।

Related Posts