ମହିଳା ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ ଯଦି ଜଣେ ବି ମହିଳାଙ୍କ ପ୍ରତି ଅପରାଧ ଘଟେ, ତାହାଲେ ଏହା ଲଜ୍ଜାଜନକ: ଟିଏମସି ସାଂସଦ ସୌଗତ ରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ନଦିଆ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିରୋଧୀ ବାରମ୍ବାର ଏହି ଘଟଣାକୁ ନେଇ ଶାସକ ଟିଏମସିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ସେପଟେ ଏହି ଦୁଷ୍କର୍ମକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଏବେ ତାଙ୍କୁ ଭାରୀ ପଡ଼ିବାରେ ଲାଗିଛି। କାହିଁକିନା ବିରୋଧୀଙ୍କ ସମେତ ଏବେ ନିଜ ଦଳର ନେତାମାନେ ମଧ୍ୟ ଦିଦିଙ୍କ ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ଟିଏମସି ସାଂସଦ ସୌଗତ ରାୟ ଏନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମହିଳା ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ କୌଣସି ମହିଳାଙ୍କ ପ୍ରତି ଗୋଟିଏ ଅପରାଧ ମଧ୍ୟ ଲଜ୍ଜାଜନକ। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ସମସ୍ତେ ଅତ୍ୟଧିକ ଚିନ୍ତିତ। ଏହି ବିଷୟଗୁଡିକରେ ଆମର ଶୂନ୍ୟ ସହନଶୀଳତା ରହିବା ଜରୁରୀ। ଯଦି ଏଭଳି କୌଣସି ଘଟଣା ଘଟେ, ତେବେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ମହିଳା, ତାଙ୍କ ନେତୃତ୍ୱରେ ଏପରି ଏକ ଅପରାଧ ଆମ ସମସ୍ତଙ୍କ ପାଇଁ ଲଜ୍ଜାଜନକ ଅଟେ। ମୁଁ ଆଶା କରୁଛି ପୁଲିସ ଏବଂ ପ୍ରଶାସନ ଏକଥାକୁ ଧ୍ୟାନରେ ରଖି କାମ କରିବେ ବୋଲି ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ନାଦିଆ ଜିଲ୍ଲାରେ ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ମମତା ବାନାର୍ଜୀ ବିବାଦୀୟ ବୟାନ ଦେଇଥିଲେ । ତେବେ ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା। ଏହି ଘଟଣାର ତଦନ୍ତ ପାଇଁ ମୁଁ ପୁଲିସକୁ ନିର୍ଦ୍ଦେଶ ଦେଇଛି। କେବଳ ଏତିକି ନୁହେଁ ବରଂ ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ। ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।

Related Posts