କେବଳ ଦିଲ୍ଲୀ ନୁହେଁ ବରଂ ଯଦି ଆବଶ୍ୟକ ପଡ଼େ ତାହାଲେ ମୋ ଅଧିକାରୀମାନଙ୍କୁ ତାଲିମ ଦେବା ପାଇଁ ଇସ୍ରାଏଲ ମଧ୍ୟ ପଠାଇବି: ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବର୍ତ୍ତମାନ ବିରୋଧୀଙ୍କ ଟାର୍ଗେଟରେ । ଏପରିକି ଆପ ମୁଖ୍ୟ କେଜ୍ରିୱାଲଙ୍କ ସହ ତାଙ୍କର ବୈଠକ ପରେ ବିରୋଧୀ ତାଙ୍କୁ ରିମୋଟ କଣ୍ଟ୍ରୋଲ ବୋଲି ମଧ୍ୟ କହି ଉପହାସ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏସବୁର ଉତ୍ତର ଦେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ଆବଶ୍ୟକ ପଡେ ଟ୍ରେନିଂ ପାଇଁ ମୁଁ ନିଜର ଅଧିକାରୀଙ୍କୁ ଗୁଜରାଟ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ ଏପରିକି ଆବଶ୍ୟକ ପଡିଲେ ଇସ୍ରାଏଲ ପଠାଇ ପାରିବି। ଏହା ଉପରେ କାହାରି ଆପତ୍ତି ହେବା ଉଚିତ୍ ନୁହେଁ। ସେମାନେ ଶିକ୍ଷା, ବିଜୁଳି, ସ୍ଵାସ୍ଥ୍ୟର ବିଶେଷଜ୍ଞ। ତେଣୁ ମୁଁ ଅଧିକାରୀଙ୍କୁ କାହିଁକି ପଠାଇ ପାରିବି ନାହିଁ ବୋଲି ମାନ କହିଛନ୍ତି। ସେପଟେ ଏହି ସପ୍ତାହର ଆରମ୍ଭରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପଞ୍ଜାବର ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଉପସ୍ଥିତ ନଥିଲେ।

ଏହାକୁ ନେଇ ବିରୋଧୀ କଂଗ୍ରେସ ଆପ୍ ପ୍ରମୁଖଙ୍କ ଉପରେ ରିମୋଟ୍ କଣ୍ଟ୍ରୋଲର ଆରୋପ ଲଗାଇଛନ୍ତି। ଏହାକୁ ନେଇ ଏବେ ବଡ ବିବାଦ ଆରମ୍ଭ ହୋଇ ଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ କେଜ୍ରିଓ୍ଵାଲଙ୍କ ବୈଠକର ସମାଲୋଚନା କରିଛନ୍ତି। ମାନ ନିଜ ପାର୍ଟି ପ୍ରମୁଖଙ୍କ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିରୋଧୀ କିଏ ? ବିରୋଧୀ କେଉଁଠି ଅଛନ୍ତି ? ବିରୋଧୀଙ୍କୁ ଏମିତି ସମାଲୋଚନା କରିବା ଆବଶ୍ୟକତା ନାହିଁ। ମୁଁ ପଞ୍ଜାବରେ ଥିଲି ଏବଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ପାଇଁ ଦିଲ୍ଲୀ ପଠାଇଥିଲି। ସେମାନେ ଭଲ କାମ ଶିଖିବା ପାଇଁ କେଉଁଠି କି ମଧ୍ୟ ଯାଇ ପାରିବେ। ମୁଁ ଏହାର ଅନୁମତି ଦେଇଛି। ଏଥିରେ କଣ ଭୁଲ୍ ଅଛି ବୋଲି ବିରୋଧୀଙ୍କୁ ଭଗୱନ୍ତ ମାନ ପ୍ରଶ୍ନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts