ପାଟନା(ସତ୍ୟପାଠ ବ୍ୟୁରୋ): ଏଣିକି ବିହାରରେ ମଦ ପିଇ ଧରାପଡ଼ିଲେ ଆଉ ଯିବାକୁ ପଡ଼ିବନି ଜେଲ । ଏହା ବଦଳରେ କେବଳ ମଦ ମାଫିଆମାନଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ । ଏଭଳି କିଛି ନିୟମ ତିଆରି କରି ବେଶ ଚର୍ଚ୍ଚାରେ ରହିଛନ୍ତି ନୀତିଶ କୁମାର । ସେପଟେ ନୀତିଶଙ୍କ ଏପରି ଆଭିମୁଖ୍ୟକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିବାରେ ଲାଗିଛି । ତେବେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏହାକୁ ବିକ୍ରି କରୁଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିହାରର ଅବକାରୀ ବିଭାଗ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ଯଦି ଜଣେ ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ସେମାନଙ୍କୁ ଜେଲକୁ ପଠାଯିବ ନାହିଁ।
ହେଲେ ଏଥିପାଇଁ ସେମାନଙ୍କୁ କାହାଠାରୁ ମଦ କିଣି ପିଇଛନ୍ତି, ତାହା କହିବାକୁ ପଡ଼ିବ। ଖାଲି ସେତିକି ନୁହେଁ, ଯଦି ଦେଇଥିବା ସୂଚନା ଆଧାରରେ ମଦ ବ୍ୟବସାୟ ଓ ବ୍ୟବସାୟୀଙ୍କୁ ଗିରଫ କରାଯାଏ, ତେବେ ସୂଚନା ଦେଇଥିବା ଲୋକକୁ ଗିରଫ କରିବ ନାହିଁ ପୁଲିସ। ଅବକାରୀ ବିଭାଗର ଯୁଗ୍ମ ସଚିବ କୃଷ୍ଣ କୁମାର କହିଛନ୍ତି ଯେ, ଏହି ନିଷ୍ପତ୍ତି ନିଆଯାଇଛି କାରଣ ବର୍ତ୍ତମାନ ସୁଦ୍ଧା ୪.୫ ଲକ୍ଷରୁ ଅଧିକ ଲୋକଙ୍କୁ ମଦ ପିଇବା ପାଇଁ ଜେଲ ପଠାଯାଇଛି। ବିହାରର ଜେଲରେ ମଦ୍ୟପାନକାରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିହାର ପୁଲିସ ଏବଂ ପାନୀୟ ନିଷେଧ ବିଭାଗକୁ ବିଶେଷ କ୍ଷମତା ଦିଆଯାଇଛି। ମଦ ପିଇବା ଏକ ସାମାଜିକ ଅପରାଧ ନୁହେଁ। ମଦ୍ୟପାନକାରୀଙ୍କ ମଧ୍ୟରେ ସୁଧାର ଅଣାଯାଇପାରିବ। ଏଭଳି ପରିସ୍ଥିତିରେ ଯେଉଁମାନେ ମଦ ବିକ୍ରି କରୁଛନ୍ତି ଏବଂ ଲୋକଙ୍କୁ ମଦ ଯୋଗାଉଛନ୍ତି ସେମାନଙ୍କ ଉପରେ ଆମର ଧ୍ୟାନ ଦିଆଯାଇଛି। ଏହା କରିବା ଦ୍ୱାରା ମଦ ମାଫିଆଙ୍କ ପତ୍ତା ସହଜରେ ମିଳିପାରିବ।