ସାହସ ଅଛି ଯଦି ମୋତେ ଗିରଫ କର, ମୁଁ ଜେଲରୁ ଲଢିବି ଏବଂ ଜିତିବି : ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗକୁ ନେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ମମତା ବାନାର୍ଜୀ ସୋମବାର ଏକ ରାଲିରେ ଯୋଗଦେଇ କହିଛନ୍ତି ଯେ, ଏହି ଦୁର୍ନୀତି ମାମଲା ସବୁ ବିଚାରାଧୀନ ଅଟେ। ଆମେ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିବାକୁ କୋର୍ଟରେ ଏପରି କୌଣସି ପ୍ରମାଣ ନାହିଁ। ତଥାପି ମିଡିଆ ଟ୍ରାୟେଲ ଚାଲିଛି ଏବଂ ସେମାନେ ଆମକୁ ଚୋର ବୋଲି କହୁଛନ୍ତି। ଏହା ସବୁ ଷଡଯନ୍ତ୍ର। ଗଣମାଧ୍ୟମକୁ ବିଶ୍ଵାସ କରନ୍ତୁ ନାହିଁ। ସେମାନେ ଆମ ନେତାଙ୍କ ପଛରେ ଅଛନ୍ତି। ସାହସ ଅଛି ଯଦି ମୋତେ ଗିରଫ କର, ମୁଁ ସେମାନଙ୍କୁ ଆହ୍ଵାନ କରୁଛି। ମୁଁ ଜେଲରୁ ଲଢିବି ଏବଂ ଜିତିବି। ଆପଣ ମୋତେ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ମମତା କହିଛନ୍ତି।

ମମତା ବିଜେପିକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ନିର୍ବାଚିତ ସରକାର ଗୁଡିକୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି କେଉଁଠାରୁ ଟଙ୍କା ଆଣୁଛି, ତାହାର ଉତ୍ତର ଦେବା ଉଚିତ୍। ନିର୍ବାଚିତ ରାଜ୍ୟ ସରକାରଗୁଡିକୁ ହଟାଇବା ପାଇଁ କଳା ଟଙ୍କା ବ୍ୟବହାର କରାଯାଉଛି। ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡିକ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତାମାନେ ‘ବେଟି ବାଚାଓ’ ବିଷୟରେ କହୁଛନ୍ତି, କିନ୍ତୁ ବିଲକିସ୍ ବାନୋ ମାମଲାରେ ଜଡିତ ଥିବା ଦୋଷୀଙ୍କୁ ସେମାନଙ୍କ ସରକାର ଛାଡି ଦେଇଛନ୍ତି ବୋଲି କହି ବିଜେପି ଉପରେ ସାଣିତ ଆକ୍ରମଣ କରିଛନ୍ତି ମମତା ବାନାର୍ଜୀ।

Related Posts