ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେଲେ ଜାମ୍ମୁ-କାଶ୍ମୀର କଂଗ୍ରେସର ଆଉ ୩ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଲାମ ନବୀ ଆଜାଦ୍ କଂଗ୍ରେସ ଛାଡିବା ପରେ ଦଳରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେଇଛନ୍ତି । ଏହି କ୍ରମରେ ସୋମବାର ଜାମ୍ମୁ-କାଶ୍ମୀରର ଆଉ ତିନି ଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଉପ ବାଚସ୍ପତି ଗୁଲାମ ହାଇଦର ମଲିକ, କାଥୁଆରୁ ସୁବାସ ଗୁପ୍ତା ଏବଂ ଡୋଡାରୁ ଶ୍ୟାମ ଲାଲ ଦଳରୁ ଇସ୍ତଫା ଦେଇଛନ୍ତି। ତେବେ ସେମାନେ ଆଜାଦଙ୍କ ସମର୍ଥନରେ ପାର୍ଟିରୁ ଇସ୍ତଫା ଘୋଷଣା କରିଛନ୍ତି ବୋଲି ଜଣା ପଡିଛି।

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଆଜାଦ ଶୁକ୍ରବାର କଂଗ୍ରେସ ସହିତ ନିଜର ପାଞ୍ଚ ଦଶନ୍ଧିର ସଂପର୍କରେ ପୂର୍ଣ୍ଣଛେଦ ପକାଇଥିଲେ। ଆଜାଦ ପାର୍ଟିର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ପାର୍ଟିର ସ୍ଥିତିକୁ ନେଇ ହାଇକମାଣ୍ଡଙ୍କୁ ଦାୟୀ କରିଥିଲେ। ଏପରିକି ସେ ରାହୁଲ ଗାନ୍ଧୀଙ୍କୁ ଅପରିପକ୍ଵ ନେତା କହିଥିଲେ।

ସୂଚନାଯୋଗ୍ୟ, ଆଜାଦ କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ତିନି ପୂର୍ବତନ ମନ୍ତ୍ରୀ ସହିତ ପାର୍ଟିର ଆଠ ବରିଷ୍ଠ ନେତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜାଦ ଖୁବ୍ ଶୀଘ୍ର ନୂତନ ପାର୍ଟି ଗଠନ କରି ପାରନ୍ତି। ଏପରିକି ଆଜାଦଙ୍କ ଆହୁରି ନିକଟତର ଲୋକ କଂଗ୍ରେସରୁ ଇସ୍ତଫା ଦେବାକୁ ବିଚାର କରୁଥିବା ଜଣା ପଡିଛି।

Related Posts