ବିଏଡ୍ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା; ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବିଏଡ୍ ଶିକ୍ଷକ ମହାସଂଘ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ପ୍ରାଥମିକ ବିଏଡ୍ ଶିକ୍ଷକ ମହାସଂଘ ପକ୍ଷରୁ ଇନ୍ଦିରାଗାନ୍ଧୀ ପାର୍କଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଏଡ୍‌ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହିତ ସଂଘର ଆଗାମୀ ଦିନର କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା। ଏହି ବୈଠକରେ ମହାସଂଘ ଅଭିଯୋଗ କରିଛି ଯେ , ୨୦୧୦ରୁ ରାଜ୍ୟ ଶିକ୍ଷା ଅଧିକାର ଅଧିନିୟମ ଲାଗୁ ହୋଇଥିଲେ ମଧ୍ୟ ୧୨ବର୍ଷ ପରେ ବି ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିନାହାନ୍ତି। ଏହା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବାଧକ ସାଜିଛି। ସେହିପରି ବିଏଡ୍ ଡିଗ୍ରିଧାରୀ ଯୁବକ/ଯୁବତୀଙ୍କୁ ଟିଜି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ୬ ବର୍ଷ ପରେ ମଧ୍ୟ ସେମାନଙ୍କୁ ମାଟ୍ରିକ ସିଟି ବେତନ ପ୍ରଦାନ କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମହାସଂଘର ସଭାପତି ଅଜୟ କୁମାର ଧଳ ଅଭିଯୋଗ କରିଥିଲେ।

ତେଣୁ ଏହି ସବୁ ଅନିୟମିତତା ପ୍ରତିବାଦରେ ଆଗାମୀ ଦିନରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ମହାସଚିବ ଉମେଶ ଚନ୍ଦ୍ର ନାୟକ, ସମ୍ପାଦକ ଦେବେନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଦାସ, କ୍ଷୀରୋଦ ସ୍ବାଇଁ, ଲଲାଟେନ୍ଦୁ ମହଲ, ପ୍ରଦ୍ୟୁମ୍ନ ବାରିକ, ନିରଞ୍ଜନ ସାମଲ, ଅମୂଲ୍ୟ ଲେଙ୍କା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Related Posts