ଅନ୍ୟ ଜାତିରେ ବିବାହ କଲେ, ସ୍ବାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଜଣକୁ ସରକାରୀ ଚାକିରୀ ଦିଅନ୍ତୁ ରାଜ୍ୟ ସରକାର : ରାମଦାସ ଅଠାୱଲେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରେ ଆନ୍ତଃଜାତି ବିବାହ କରୁଥିବା ଯୁବକ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରନ୍ତୁ। ସ୍ବାମୀ କିମ୍ବା ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ସରକାରୀ ଚାକିରି ଦିଅନ୍ତୁ। ଏହାଦ୍ବାରା ଲୋକଙ୍କ ମଧ୍ୟରେ ଆନ୍ତଃଜାତି ବିବାହ ପାଇଁ ଉତ୍ସାହ ବଢ଼ିବ। ଲୋକ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜାତିର ପୁଅ/ଝିଅଙ୍କ ଘରକୁ ଯିବେ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱଲେ ।

ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଅଠାୱଲେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ରାଜ୍ୟ ଅତିଥି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠାୱଲେ କହିଛନ୍ତି ଯେ, ସାରା ଦେଶରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯାଉଛି। ‌ଆନ୍ତଃଜାତି ବିବାହ କଲେ କେନ୍ଦ୍ର ସରକାର ଡ. ଆମ୍ବେଦକର ଯୋଜନାରେ ଅଢ଼େଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏହିଭଳି ଯୋଜନା କରି ଆନ୍ତଃଜାତି ବିବାହ କରୁଥିବା ଲୋକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦିଆଯାଉଛି। କିନ୍ତୁ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କୁ ବଡ଼ ପଦକ୍ଷେପ ନେବାକୁ ହେବ। ଯଦି ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ତେବେ ଆନ୍ତଃଜାତି ବିବାହ କ୍ଷେତ୍ରରେ ସମାଜରେ ବଡ଼ ପରିବର୍ତ୍ତନ ଆସିବ। ଯେଉଁଦିନ ଗୋଟିଏ ଜାତିର ଲୋକ ଅନ୍ୟ ଜାତିର ଘରକୁ ବିବାହ ପ୍ରସ୍ତାବ ନେଇ ଯିବେ ସେଦିନ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ।

ଏହି ଅବସରରେ ଶ୍ରୀ ଅଠାୱଲେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଦଳିତ, ଆଦିବାସୀଙ୍କ ଉପରେ ଅତ୍ୟାଚାର ସମ୍ପୂର୍ଣ ବନ୍ଦ ହେବା ଦରକାର। ସେହିପରି ଓଡ଼ିଶାରେ ପ୍ରାୟ ୨୦ଲକ୍ଷ ଲୋକଙ୍କୁ ୫୦୦ଟଙ୍କା ହିସାବରେ ସାମାଜିକ ଭତ୍ତା ମିଳୁଛି ଏହି ଭତ୍ତାକୁ ବଢ଼ାଇବାକୁ ବହୁତ ଦାବି ହେଉଛି। ଭତ୍ତା ବଢ଼ାଇବା ନେଇ ଆମେ ବିଚାର କରୁଛୁ ବୋଲି ଅଠାୱଲେ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାରା ଦେଶରେ କେତେ ଲୋକ ଉପକୃତ ହୋଇଛନ୍ତି ଓ ଓଡ଼ିଶାରେ କେତେ ଲୋକ ଉପକୃତ ହୋଇଛନ୍ତି ତାହାର ଏକ ବିସ୍ତୃତ ସୂଚନା ଶ୍ରୀ ଅଠାୱଲେ ଏହି ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ।

Related Posts